ବିଶୋଧନ ହେବ ୧୫ ଗଁ।

ଓଡ଼ାପଡ଼ା, ୨୮।୪(ଡି.ଏନ.ଏ.)

ମହାମାରୀ କରୋନାର ମୁକାବିଲା ପାଇଁ ଟାଟାଷ୍ଟିଲ ବିଏସ୍‌ଏଲ୍‌ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ୧୫ ଗଁାକୁ ସମ୍ପୂର୍ଣ୍ଣ ବିଶୋଧନ କରିବାକୁ କମ୍ପାନୀ ପକ୍ଷରୁ ସ୍ଥିର କରାଯାଇଛି। ଇତିମଧ୍ୟରେ ନରେନ୍ଦ୍ରପୁର, ସରପା, ଗଣ୍ଠିଗାଡ଼ିଆ, ନୂଆଗଁା, କୁରୁଣ୍ଟି, କଣ୍ଟାବଣିଆ, କଣ୍ଟାବଣିଆ ବଜାରରେ ବିଶୋଧନ ପ୍ରକ୍ରିୟା ଶେଷ ହୋଇଛି। ଖୁବ୍‌ଶୀଘ୍ର ଶିବପୁର, କୁସୁପଙ୍ଗା, ମଙ୍ଗଳପୁର, ନୂଆହତା, ପାଇକ ପୁରୁଣାକୋଟ, ନୂଆଗଁା ପଞ୍ଚାୟତର ଅନ୍ୟ ଗ୍ରାମରେ ବିଶୋଧନ ପ୍ରକ୍ରିୟା ଆରମ୍ଭ ହେବ।
ଏକମାତ୍ର କରୋନା ଆକ୍ରାନ୍ତ ସୁସ୍ଥ ହେବାପରେ ଢେଙ୍କାନାଳ ଜିଲା କରୋନା ମୁକ୍ତ ହୋଇଛି। ତଥାପି ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। ତେଣୁ ଭୂତାଣୁ ସଂକ୍ରମଣ ରୋକିବାକୁ ମିଷ୍ଟକ୍ୟାନନ ମେଶିନ ଦ୍ୱାରା ବିଶୋଧକ ସିଞ୍ଚନ କରାଯାଉଛି। ଏଥିସହ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ଲାଗି ଲିଫ୍‌ଲେଟ୍‌ ବ୍ୟାନର, ପୋଷ୍ଟର ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଉଛି। ଏପରି ବିପଦ ସମୟରେ କରୋନା ଲଢେଇରେ ସାମିଲ ହୋଇଛନ୍ତି କମ୍ପାନୀ କର୍ମଚାରୀ। କମ୍ପାନୀ ହାଉସିଂ କଲୋନୀ ମହିଳା କ୍ଲବର ସଦସ୍ୟା ଓ ଅଫିସର୍ସ କ୍ଲବ ସଦସ୍ୟମାନେ ପ୍ଲାଣ୍ଟ ପାର୍ଶ୍ୱ ବସ୍ତିରେ ରହୁଥିବା ୨୫୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ପରିବାରକୁ ୭ଦିନର ଖାଦ୍ୟ ପ୍ରଦାନ କରିଛନ୍ତି। ଏଥିସହ ସେମାନେ ନିଜେ ପ୍ରସ୍ତୁତ କରିଥିବା ୪୦୦ ମାସ୍କ ବଣ୍ଟନ କରିଛନ୍ତି। ସେହିପରି କମ୍ପାନୀର ସୁରକ୍ଷାକର୍ମୀଙ୍କ ତରଫରୁ ନୂଆହତା ପଞ୍ଚାୟତର ବସ୍ତି ଅଞ୍ଚଳର ୧୧୪ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ଦିଆଯାଇଛି। କାରଖାନା ପରିସରରେ ଥିବା ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟାଯାଇଛି। ଡାକ୍ତରଙ୍କ ପାଇଁ ୧୦ ସେଟ୍‌ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) ଏବଂ ୧୦୦୦ରୁ ଊର୍ଦ୍ଧ୍ୱ ସାନିଟାଇଜର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଦାନ କରାଯାଇଛି। ଲକ୍‌ଡାଉନ୍‌ ଅବଧି ସରିବା ଯାଏ ଏପରି ସହଯୋଗ ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share