ସିଡ୍ନୀ, ୩।୩ (ଏଏଫ୍ପି)- ଚଳିତ ଆଇସିସି ମହିଳା ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ମଙ୍ଗଳବାର ଶେଷ ହୋଇଛି। ଗୁରୁବାରଠାରୁ ସେମିଫାଇନାଲ ଆରମ୍ଭ ହେବ। ତେବେ ଏଥିପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ ତଥା ଆୟୋଜକ ଅଷ୍ଟ୍ରେଲିଆ ଦଳକୁ ଶକ୍ତ ଧକ୍କା ଲାଗିଛି। ଦଳର ଷ୍ଟାର୍ ଖେଳାଳି ଏଲିସି ପେରୀ ଆଘାତଜନିତ ସମସ୍ୟା ଲାଗି ବିଶ୍ୱକପ୍ର ବଳକା ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ସୋମବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଫିଲ୍ଡିଂ କରୁଥିବାବେଳେ ୨୯ ବର୍ଷୀୟା ପେରୀଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିସାରିଛି। ତେଣୁ ଗୁରୁବାର ଅଷ୍ଟ୍ରେଲିଆ ଖେଳିବାକୁ ଥିବା ସେମିଫାଇନାଲ ମ୍ୟାଚ୍ରେ ବିଶ୍ୱର ଏହି ଶ୍ରେଷ୍ଠ ଅଲ୍ରାଉଣ୍ଡର ପ୍ରତିନିଧିତ୍ୱ କରିପାରିବେ ନାହିଁ। ସେହିଭଳି ଯଦି ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରେ ତେବେ ମଧ୍ୟ ଦଳ ପେରୀଙ୍କୁ ମିସ୍ କରିବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ କୁହାଯାଇଛି। ଏଥିସହ ଚଳିତ ମାସରେ ଅଷ୍ଟ୍ରେଲିଆ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଥିରେ ମଧ୍ୟ ପେରୀ ଦଳ ପାଇଁ ଉପଲବ୍ଧ ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି।