ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଅନ୍ତିମ ମ୍ୟାଚ୍‌ରେ ହୋଇପାରେ ଧୋନୀଙ୍କ କ୍ୟାରିୟରର ଶେଷ

ବର୍ମିଂହାମ,୩।୭(ପିଟି)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ଅନ୍ତିମ ମ୍ୟାଚ୍‌ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇପାରେ। ଯଦି ଭାରତୀୟ ଦଳ ଫାଇନାଲକୁ ଉନ୍ନୀତ ହୁଏ ଓ ବିଶ୍ୱକପ୍‌ ଜିତେ, ତେବେ ଏହା କିମ୍ବଦନ୍ତୀ ଭାରତୀୟ କ୍ରିକେଟରଙ୍କ ଶ୍ରେଷ୍ଠ ବିଦାୟୀ ହେବ। ଧୋନୀଙ୍କ ବିଷୟରେ କିଛି କହି ହେବ ନାହିଁ। କିନ୍ତୁ ବିଶ୍ୱକପ୍‌ ପରେ ଧୋନୀ ଭାରତୀୟ ଦଳରେ ଖେଳିବାର ସମ୍ଭାବନା ଖୁବ କମ୍‌। ସେ ଯେଉଁଭଳି ଅଧିନାୟକତ୍ୱରୁ ଅବସର ନେଇଥିଲେ, ତାହା ଦେଖିଲେ ଧୋନୀଙ୍କ ସମ୍ପର୍କରେ ଭବିଷ୍ୟବାଣୀ କରିହେବ ନାହିଁ। ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ଧୋନୀଙ୍କୁ ଆଉ ୨ ବର୍ଷ ଅର୍ଥାତ ୨୦୧୯ ବିଶ୍ୱକପ୍‌ ପର୍ଯ୍ୟନ୍ତ ସମୟ ଦେବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଚଳିତ ଥର ଧୋନୀଙ୍କ ପ୍ରଦର୍ଶନ ସେତେଟା ଭଲ ନ ଥିଲେ ମଧ୍ୟ ଭାରତୀୟ ଦଳ ସେମିଫଇନାଲରେ ପ୍ରବେଶ କରିଛି। ଏଣୁ କୌଣସି ପରିସ୍ଥିତିରେ ତାଙ୍କୁ କେହି ଅବସର ଲାଗି ପଚାରି ପାରିବେ ନାହିଁ ବୋଲି ଜଣେ ସିନିୟର ବିସିସିଆଇ ଅଫିସିଆଲ କହିଛନ୍ତି। ବର୍ତ୍ତମାନ କାର୍ଯ୍ୟକାରୀ ଚୟନ କମିଟି ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବ। ଏହାପରେ ଅଷ୍ଟ୍ରେଲିଆରେ ଆଗାମୀ ବର୍ଷ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ ଲାଗି ଦଳକୁ ପ୍ରସ୍ତୁତ କରାଯିବ। ଏଣୁ ଦଳରେ କିଛି ପରିବର୍ତ୍ତନ ହୋଇପାରେ। ଧୋନୀ ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୯୩ ଷ୍ଟ୍ରାଇକ ରେଟ୍‌ରେ ୨୨୩ ରନ୍‌ କରିଛନ୍ତି। ଧୋନୀଙ୍କ ଷ୍ଟ୍ରାଇକ ପରିବର୍ତ୍ତନ କରିବା ଓ ବଡ଼ ଶର୍ଟ ଖେଳିବା ଦକ୍ଷତା ଉପରେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ଭଳି ଖେଳାଳି ପ୍ରଶ୍ନ ଉଠାଇଛନ୍ତି।

Share