ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆ

ଲଣ୍ଡନ,୭।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରକାକୁ ହରାଇ ଅଭିଯାନ ଆରମ୍ଭ କରିଛି। ଆଗକୁ ଆହୁରି ଶକ୍ତିଶାଳୀ ଦଳକୁ ଭେଟିବାକୁ ଥିବାବେଳେ ଦଳ ଟୁର୍ନାମେଣ୍ଟରେ ଅତିକମ୍‌ରେ ସେମିଫାଇନାଲ ଖେଳିବ ବୋଲି ଆଶା କରାଯାଉଛି। କାରଣ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ର ଯେଉଁ ସଂସ୍କରଣରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି, ସେଥିରେ ନିଶ୍ଚିତ ସେମିଫାଇନାଲ ଖେଳିଛି। ତିନିଥର ଫାଇନାଲ ମଧ୍ୟ ଖେଳିବାକୁ ସୁଯୋଗ ପାଇଛି। ଦୁଇ ଥର ବିଶ୍ୱକପ୍‌ ହାତେଇ ଥିବାବେଳେ ଥରେ ଉପବିଜେତା ଭାବେ ଟିମ୍‌ ବ୍ଲୁ ଅଭିଯାନ ଶେଷ କରିଛି। ଭାରତୀୟ ଦଳ ୧୯୮୩ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଦୁଇ ଥର ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିଲା। ଏହି ସଂସ୍କରଣରେ ସମାନ ଦଳକୁ ହରାଇ ପ୍ରଥମ ଥର ଚାମ୍ପିୟନ ହୋଇଥିଲା। ଭାରତରେ ଅନୁଷ୍ଠିତ ୧୯୯୬ ବିଶ୍ୱକପ୍‌ରେ ମହମ୍ମଦ ଆଝାରୁଦ୍ଦିନଙ୍କ ଦଳ ଐତିହାସିକ ବାରବାଟୀ ଷ୍ଟାଡିୟମରେ କେନିଆକୁ ହରାଇ ଅଭିଯାନ ଆରମ୍ଭ କରିଥିଲା। ସେହିଥର ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଇଡେନଗାର୍ଡେନ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ସିଟ୍‌ ପୋଡ଼ାଜଳା କରିିଥିଲେ। ଫଳରେ ଶ୍ରୀଲଙ୍କାକୁ ବିଜେତା ଘୋଷିତ କରାଯାଇଥିଲା। ଏହାପରେ ୨୦୦୩ ବିଶ୍ୱକପ୍‌ରେ ଦୁର୍ବଳ ନେଦରଲାଣ୍ଡକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ୨୦୧୧ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ପଡ଼ୋଶୀ ବାଂଲାଦେଶକୁ ହରାଇଥିଲା। ଏହି ସଂସ୍କରଣ ଫାଇନାଲରେ ଅନ୍ୟତମ ଆୟୋଜକ ଶ୍ରୀଲଙ୍କାକୁ ହରାଇ ଭାରତୀୟ ଦଳ ଦ୍ୱିତୀୟ ଥର ବିଶ୍ୱକପ୍‌ ହାତେଇଥିଲା। ଏହାର ପରବର୍ତ୍ତୀ ସଂସ୍କରଣରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଥିଲା। ୨୦୧୫ ବିଶ୍ୱକପ୍‌ ଆୟୋଜକ ଅଷ୍ଟ୍ରେଲିଆଠାରୁ ସେମିଫାଇନାଲରେ ପରାସ୍ତ ହୋଇ ଭାରତ ଅଭିଯାନ ଶେଷ କରିଥିଲା। ଏହାବାଦ୍‌ ୧୯୭୫, ୧୭୭୯, ୧୯୮୭, ୧୯୯୨, ୧୯୯୯ ଓ ୨୦୦୭ ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଜିତିପାରି ନ ଥିବା ଭାରତୀୟ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଥିଲା।

Share