Categories: ଖେଳ

ବିଶ୍ୱକପ୍‌ରେ ଭାରତଠାରୁ ହାରିବା ନୂଆ ନୁହେଁ

ଲଣ୍ଡନ, ୨୩ା୬ (ପି.ଟି.)-ରବିବାର ଖେଳାଯିବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ତାଙ୍କ ଦଳ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଭାରତ ବିପକ୍ଷ ମ୍ୟାଚରେ ପରାଜୟ ତାଙ୍କ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ ବିଶ୍ୱକପ୍‌ରେ ଭାରତ ନିକଟରୁ ପାକିସ୍ତାନ ହାରିବା ନୂଆ କଥା ନୁହେଁ। ତେଣୁ ଏହି ପରାଜୟକୁ ନେଇ ଆମେ ଚିନ୍ତା କରୁ ନାହୁଁ ଏଣିିକି ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚ ଉପରେ ଆମର ନଜର ରହିବ। ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ସାରିଥିବା ବେଳେ କେବଳ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିପାରିଛି। ଦଳ ମାଞ୍ଚେଷ୍ଟରଠାରେ ଏହାର ଗତ ମ୍ୟାଚରେ ଭାରତ ନିକଟରୁ ୮୯ରନରେ ପରାଜିତ ହୋଇଛି। ଭାରତ ବିପକ୍ଷ ଏକ ବିଶ୍ୱକପ୍‌ ମ୍ୟାଚରେ ପରାଜିତ ହେଲେ ପାକିସ୍ତାନ ଦଳର ଅଧିନାୟକ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଚାପରେ ରହିଥାନ୍ତି ବୋଲି ଲୋକମାନଙ୍କ ମନରେ ଧାରଣା ଥାଏ। କିନ୍ତୁ ପ୍ରକୃତରେ ତାହା ନୁହେଁ ବୋଲି ସର୍ଫରାଜ କହିଛନ୍ତି। ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଭାରତ ଏଥରକୁ ମିଶାଇ ୭ଥର ପାକିସ୍ତାନକୁ ହରାଇ ସାରଛି। ଅନପକ୍ଷରେ ସର୍ଫରାଜ ସ୍ବୀକାର କରିଛନ୍ତି ଯେ, ଭାରତ ନିକଟରୁ ପରାଜୟ ପରେ ଖେଳାଳି ଏବଂ ସେମାନଙ୍କ ପରିବାରକୁ ଥଟ୍ଟା ପରିହାସ ଶୁଣିବାକୁ ମିଳିଥାଏ ଏବଂ ସୋସିଆଲ ମିଡିଆରେ ଏଣୁତେଣୁ କଥା ପ୍ରସାରିତ ହୋଇଥାଏ। ଲୋକମାନଙ୍କ ଭାବାବେଗକୁ ଆମେ ରୋକିପାରିବା ନାହିଁ। ଆମେ ଯେତେବେଳେ ମ୍ୟାଚ ଜିତୁ ସେତେବେଳେ ଏହି ଲୋକମାନେ ଆମକୁ ମୁଣ୍ଡରେ ବସାଇଥାନ୍ତି ବୋଲି ପାକିସ୍ତାନ ଅଧିନାୟକ ପ୍ରକାଶ କରିଛନ୍ତି।

Share