Categories: ଖେଳ

ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌: ଇଂଲଣ୍ଡ, ଅଷ୍ଟ୍ରେଲିଆ ବିଜୟୀ

ଲଣ୍ଡନ,୨୮।୫- ବିଶ୍ୱକପ୍‌ ଓ୍ବାର୍ମଅପ୍‌ରେ ସୋମବାର ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ୩୧ଟି ବଲ ବାକି ରଖି ୫ ଉଇକେଟରେ ଶ୍ରୀଲଙ୍କାକୁ ହରାଇଛି। ସେହିପରି ଅନ୍ୟ ଏକ ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡ ଆଫଗାନିସ୍ତାନକୁ ପରାସ୍ତ କରିଛି। ସାଉଥାମ୍ପଟନର ରୋଜ ବଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୪୪.୫ ଓଭରରେ ୫ ଉଇକେଟ ହରାଇ ୨୪୧ ରନ କରି ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ତରଫରୁ ଉସ୍‌ମାନ ଖ୍ବାଜା ସର୍ବାଧିକ ୮୯, ଶନ ମାର୍ଶ ୩୪, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୩୬, ମାର୍କସ ଷ୍ଟୋଇନିସ୍‌ ୩୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ଶ୍ରୀଲଙ୍କାର ଜେଫ୍ରେ ଭାନଡରସେ ଦୁଇଟି ଉଇକେଟ ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଓପନର ଲାହିରୁ ଥିରିମାନେ ସର୍ବାଧିକ ୫୬, ଧନଞ୍ଜୟ ଡିସିଲଭା ୪୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ଦୁଇଟି ଉଇକେଟ ନେଇଥିଲେ।
ସ୍ଥାନୀୟ କେନ୍ନିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ୯ ଉଇକେଟ୍‌ର ବୃହତ୍‌ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ପ୍ରାରମ୍ଭରୁ ହଜରତ୍‌ଉଲ୍ଲା ଜାଜାଇ (୧୧) ଓ ଉଇକେଟ୍‌କିପର ରହମତ୍‌ ଶାହ (୩)ଙ୍କ ଉଇକେଟ୍‌ ହରାଇଥିଲା। ନବାଗତ ଜୋଫ୍ରା ଆର୍ଚର ଏହି ୨ଟି ଉଇକେଟ୍‌ ଅକ୍ତିଆର କରି ଆଫଗାନିସ୍ତାନକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଆଫଗାନିସ୍ତାନ ୩୮.୪ ଓଭରରେ ୧୬୦ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ନିମ୍ନକ୍ରମରେ ଅଭିଜ୍ଞ ମହମ୍ମଦ ନବି ୪୪, ନୁର୍‌ ଅଲି ଜର୍ଡାନ ୩୦, ଦଓ୍ବଲତ ଜର୍ଡାନ ୨୦*, ଅଧିନାୟକ ଗୁଲାବଦିନ ନାଇବ ୧୪ ରନ କରିଥିଲେ। ଆର୍ଚର ଓ ପାର୍ଟଟାଇମ ବୋଲର ଜୋ ରୁଟ୍‌ ୩ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ଇଂଲଣ୍ଡ ଦ୍ରୁତ ବ୍ୟାଟିଂ କରି ୧୭.୩ ଓଭରରେ ଜନି ବେୟାରଷ୍ଟୋ (୩୯ ରନ)ଙ୍କ ଉଇକେଟ୍‌ ହରାଇ ଆବଶ୍ୟକ ରନ୍‌ ହାସଲ କରିନେଇଥିଲା। ଓପନର୍‌ ଜାସନ ରଏ ୮୯ (୪୬ ବଲ, ୧୧ ଚୌକା, ୪ ଛକା) ଓ ରୁଟ୍‌ ୨୯ ରନ କରି ଅପରାଜିତ ରହିଥିଲେ। ପୂର୍ବରୁ ଇଂଲଣ୍ଡ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରୁ ୧୨ ରନରେ ପରାସ୍ତ ହୋଇଥିଲା। ବିଶ୍ୱକପ୍‌ର ଉଦ୍‌ଘାଟନୀ ଦିବସରେ ଇଂଲଣ୍ଡ ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ।

Share