Categories: ଖେଳ

ବିଶ୍ୱକପ୍‌ କବାଡ଼ି ଚାମ୍ପିୟନଶିପ୍‌: ପାକିସ୍ତାନରେ ଅନୌପଚାରିକ ଭାରତୀୟ ଦଳ ପହଞ୍ଚିବା ନେଇ ବିବାଦ

ନୂଆଦିଲ୍ଲୀ,୧୦।୨(ପି.ଟି.)- ପାକିସ୍ତାନରେ ଆରମ୍ଭ ହୋଇଥିବା ବିଶ୍ୱ କବାଡ଼ି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଏକ ଅନୌପଚାରିକ ଭାରତୀୟ ଦଳ ସେଠାରେ ପହଞ୍ଚିବା ନେଇ ବିବାଦ ସୃଷ୍ଟି ହୋଇଛି। କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ କବାଡ଼ି ଫେଡେରେଶନ କୌଣସି ଆଥ୍‌ଲେଟଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଫଳରେ ବିବାଦ ଆହୁରି ଘନେଇଛି।
ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଓ୍ବାଘା ବର୍ଡର ଦେଇ ଏହି ଭାରତୀୟ ଦଳ ଶନିବାର ଲାହୋର ପହଞ୍ଚିଥିଲା। ପାକିସ୍ତାନ ପ୍ରଥମଥର ପାଇଁ ଏହି ଇଭେଣ୍ଟ ଆୟୋଜନ କରିବାର ଅଧିକାର ପାଇଛି। ସୋସିଆଲ ମିଡିଆରେ ଭାରତୀୟ ଦଳ ଲାହୋର ପହଞ୍ଚିବାର ଭିଡିଓ ଭାଇରାଲ ହୋଇଛି। ଲାହୋରସ୍ଥିତ ପଞ୍ଜାବ ଫୁଟବଲ ଷ୍ଟାଡିୟମରେ ଏହି ଚାମ୍ପିୟନଶିପ୍‌ ସୋମବାରଠାରୁ ଆରମ୍ଭ ହୋଇଛି। ଏହାପରେ ଫୈସଲାବାଦ ଓ ଗୁଜରାଟ ଜିଲାରେ ମଧ୍ୟ କେତୋଟି ମ୍ୟାଚ୍‌ ଖେଳାଯାଇଛି ବୋଲି ସୂଚନା ମିଳିଛି।
ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ କୌଣସି ଆଥଲେଟଙ୍କୁ ସରକାର ଅନୁମତି ଦେଇନାହାନ୍ତି ବୋଲି କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦି ଆଡମିନିଷ୍ଟ୍ରେଟର ଅଫ୍‌ ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ (ଏକେଏଫ୍‌ଆଇ) ଅବସରପ୍ରାପ୍ତ ବିଚାରପତି ଏସ.ପି. ଗର୍ଗ ମଧ୍ୟ ସମାନ କଥା କହିଛନ୍ତି। ଏ ସଂକ୍ରାନ୍ତରେ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେଣେ ପାକିସ୍ତାନ ପଞ୍ଜାବ କ୍ରୀଡ଼ା ମନ୍ତ୍ରୀ ରାଏ ତୈମୁର ଖାନ୍‌ ଭଟ୍ଟି ଭାରତୀୟ ଦଳକୁ ଲାହୋରର ଏକ ହୋଟେଲରେ ସ୍ବାଗତ ଜଣାଇଛନ୍ତି ବୋଲି କୁହାଯାଇଛି।
ଉଲ୍ଲେଖଥାଉ କି, ବିଶ୍ୱ କବାଡ଼ି ଚାମ୍ପିୟନଶିପ୍‌ର ସମସ୍ତ ୬ଟି ଯାକ ସଂସ୍କରଣ ୨୦୧୦ରୁ ୨୦୧୯ ମଧ୍ୟରେ ଭାରତରେ ଆୟୋଜିତ ହୋଇଥିଲା। ଭାରତ ସବୁ ୬ଟି ଯାକ ଚାମ୍ପିୟନଶିପ୍‌ରେ ଚାମ୍ପିୟନ ହୋଇଥିଲା। ଭାରତ ୨୦୧୦, ୨୦୧୨, ୨୦୧୩ ଓ ୨୦୧୪ରେ ପାକିସ୍ତାନକୁ ହରାଇ ବାଜି ମାରିଥିଲା। ଏହି ଇଭେଣ୍ଟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଜର୍ମାନୀ, ଇରାନ, ଆଜାରବୈଜାନ, ସିଏରା ଲିଓନ, କେନିୟା ଓ କାନାଡ଼ା ଅଂଶଗ୍ରହଣ କରିଛନ୍ତି ବୋଲି ପାକିସ୍ତାନ ଆୟୋଜକମାନେ ସୂଚନା ଦେଇଛନ୍ତି। ଟୁର୍ନାମେଣ୍ଟର ଚାମ୍ପିୟନ ଦଳ ୧୦ ଓ ରନର୍ସଅପ୍‌ ଦଳ ୭.୫ ଲକ୍ଷ ଟଙ୍କା ପୁରସ୍କାର ହାସଲ କରିବେ।

Share