ବିଶ୍ୱକପ୍‌ ଖେଳିବା ପ୍ରସ୍ତାବ ଦେଇଥିଲେ ଡି’ଭିଲର୍ସ

ଜୋହାନ୍ସବର୍ଗ, ୬।୬- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଚଳିତ ବିଶ୍ୱକପ୍‌ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ କ୍ରିକେଟ ଦକ୍ଷିଣ ଆଫ୍ରିକା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଇଏସ୍‌ପିଏନ୍‌ କ୍ରିକ୍‌ଇନ୍‌ଫୋ ଅନୁଯାୟୀ ପୂର୍ବତନ ଅଧିନାୟକ ୧୫ ଜଣିଆ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳ ଚୟନ ପୂର୍ବରୁ ବିଶ୍ୱକପ୍‌ ଖେଳିବାକୁ ଆଗ୍ରାହୀ ଥିବା ପ୍ରସ୍ତାବ ଦେଇଥିଲେ। ମିଳିଥିବା ରିପୋର୍ଟରେ ପ୍ରୋଟିଜ ଅଧିନାୟକ ଫାଫ ଡୁପ୍ଲେସି, ମୁଖ୍ୟ କୋଚ୍‌ ଓଟିସ ଗିବସନ ଓ ମୁଖ୍ୟ ଚୟନକର୍ତ୍ତା ଲିଣ୍ଡା ଜୋଣ୍ଡିଙ୍କୁ ନିଜ ଇଚ୍ଛା ସମ୍ପର୍କରେ ଡି’ଭିଲର୍ସ ଜଣାଇଥିଲେ। ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର ଦୁଇଟି କାରଣ ଥିଲା। ପ୍ରଥମଟି ହେଲା ସେ ଗତବର୍ଷ ମେ’ରେ ଅର୍ଥାତ୍‌ ବିଶ୍ୱକପ୍‌ ଖେଳାଯିବାର ଗୋଟିଏ ବର୍ଷ ପୂର୍ବରୁ ଅବସର ନେଇଥିଲେ। ଏଣୁ ଚୟନ ଲାଗି ଧାର୍ଯ୍ୟ ମାପଦଣ୍ଡ ପୂରା କରିପାରି ନ ଥିଲେ। ଏଥିରେ ଜାତୀୟ ଦଳ ପାଇଁ ଅନ୍ତର୍ଜାତୀୟ ଓ ଘରୋଇ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ମଧ୍ୟ ରହିଛି। ଦ୍ୱିତୀୟତଃ ୩୫ ବର୍ଷୀୟ ଖେଳାଳିଙ୍କୁ ଦଳକୁ ଡକାଇବା ଦ୍ୱାରା ତାଙ୍କ ଅନୁପସ୍ଥିତିରେ ଯେଉଁ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି, ସେମାନଙ୍କ ଲାଗି ଅନ୍ୟାୟ ହୋଇଥାନ୍ତା। ଗତ ବର୍ଷ ଅତ୍ୟନ୍ତ କ୍ଳାନ୍ତ ହୋଇସାରିଥିବା କହି ୧୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତ କରିଥିଲେ ଡି’ଭିଲର୍ସ। ଏବେ ଦ. ଆଫ୍ରିକା ଚଳିତ ବିଶ୍ୱକପ୍‌ରେ ପ୍ରଥମ ୩ଟି ମ୍ୟାଚ୍‌ରେ ପରାସ୍ତ ହୋଇସାରିଛି। ଫଳରେ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ କରିବା କଷ୍ଟକର।

Share