Categories: ଖେଳ

ବିଶ୍ୱକପ୍‌ ଖେଳି ନ ଥିବା ମହାନ ଟେଷ୍ଟ ବ୍ୟାଟ୍ସମ୍ୟାନ

କ୍ରିକେଟରଙ୍କ ପାଇଁ ବିଶ୍ୱକପ୍‌ ଖେଳିବା ଏକ ସମ୍ମାନର ବିଷୟ। କ୍ରିକେଟ ଇତିହାସରେ କିଛି ଏଭଳି ମହାନ ଖେଳାଳି ଅଛନ୍ତି, ଯେଉଁମାନେ ଲମ୍ବା ସମୟ ଧରି ଦଳରେ ଥିଲେ, ହେଲେ ବିଶ୍ୱକପ୍‌ ଖେଳିବାକୁ ସୁଯୋଗ ପାଇ ନଥିଲେ। ଏହି ଧାରାରେ ପ୍ରଥମେ ଅଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲେଷ୍ଟର କୁକ୍‌। ସେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍‌ କରିଥିବା ଇଂଲିଶ ବ୍ୟାଟ୍ସମ୍ୟାନ। କିନ୍ତୁ ଥରେ ହେଲେ ବି ବିଶ୍ୱକପ୍‌ ଖେଳି ପାରି ନ ଥିଲେ। ୨୦୧୫ ବିଶ୍ୱକପ୍‌ରେ କୁକ୍‌ ଇଂଲଣ୍ଡ ଦଳର ନେତୃତ୍ୱ ନେଇଥାନ୍ତେ। ଟୁର୍ନାମେଣ୍ଟର ମାସେ ପୂର୍ବରୁ ତାଙ୍କ ବଦଳରେ ଇଆନ ମୋର୍ଗାନଙ୍କୁ ଦଳର ଅଧିନାୟକ ଚୟନ କରାଯାଇଥିଲା। ଏହାପରେ ତାଙ୍କ ଦିନିକିଆ କ୍ୟାରିୟରର ପ୍ରାୟ ଶେଷ ହୋଇଯାଇଥିଲା। ତାଙ୍କ ଭଳି ପୂର୍ବତନ ଭାରତୀୟ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ। ୨୦୦୩ ବିଶ୍ୱକପ୍‌ ବେଳକୁ ସେ କ୍ୟାରିୟରର ଶୀର୍ଷରେ ଥିଲେ। ମାତ୍ର ଦଳରେ ବୋଲିଂ ବିକଳ୍ପର ଆବଶ୍ୟକତା ଥିବାରୁ ଚୟନକର୍ତ୍ତା ଦୀନେଶ ମୋଙ୍ଗିଆଙ୍କୁ ବାଛିଥିଲେ। ଲକ୍ଷ୍ମଣ ୧୩୪ ଟେଷ୍ଟରେ ୪୬ ହାରରେ ୮୭୮୧ ରନ୍‌ କରିଥିଲେ। ଏଥିରେ ୧୭ ଶତକ ଥିଲା। ସେହିଭଳି ଅଷ୍ଟ୍ରେଲିଆର ପୂର୍ବତନ ଓପନର ଜଷ୍ଟିନ ଲାଙ୍ଗର ୧୪ ବର୍ଷ ଧରି ଜାତୀୟ ଦଳ ପାଇଁ ଖେଳିଥିଲେ। ସେ ୧୦୫ ଟେଷ୍ଟ ଖେଳି ୭ ହଜାରୁ ଅଧିକ ରନ୍‌ କରିଥିଲେ। ହେଲେ ଦିନିକିଆ ଫର୍ମାଟରେ ସେ ଏତେଟା ସଫଳ ନ ଥିଲେ। ୮ ମ୍ୟାଚ୍‌ ଖଳି ଗୋଟିଏ ଅର୍ଦ୍ଧଶତକ ସହାୟତାରେ ୧୬୦ ରନ୍‌ କରିଥିଲେ।

Share