Categories: ଖେଳ

ବିଶ୍ୱକପ୍‌ ପରେ ଆଫଗାନିସ୍ତାନ କୋଚ୍‌ ପଦ ଛାଡ଼ିବେ ସିମନ୍ସ

ନୂଆଦିଲ୍ଲୀ,୨୦।୫(ପି.ଟି.)-ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଫିଲ ସିମନ୍ସ ଆଗାମୀ ବିଶ୍ୱକପ୍‌ ପରେ ଆଫଗାନିସ୍ତାନ କୋଚ୍‌ ପଦ ତ୍ୟାଗ କରିବେ। ୨୦୧୭ ଡିସେମ୍ବରରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଚ୍‌ ଭାବେ ନିଯୁକ୍ତ ହେବା ପରେ ଆଫଗାନିସ୍ତାନକୁ ସେ ବିଶ୍ୱକପ୍‌ରେ ପହଞ୍ଚାଇବାକୁ ଯେଉଁ ଲକ୍ଷ୍ୟ ରଖିଥିଲେ, ତାହା ଏବେ ପୂରା ହୋଇସାରିଛି। ଏଣୁ ପଦ ତ୍ୟାଗ କରିବା ସମୟ ଆସିଯାଇଛି। ସେ ଏ ସମ୍ପର୍କରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି)କୁ ଜଣାଇସାରିଛନ୍ତି। ଚୁକ୍ତିର ସମୟସୀମାରେ ବୃଦ୍ଧି ଚାହୁଁନାହାନ୍ତି। ଜୁଲାଇ ୧୫ ତାରିଖରେ ଚୁକ୍ତି ଶେଷ ହେବା ପରେ ସେ କିଛି ଅଲଗା କରିବେ। ୧୮ ମାସର କାର୍ଯ୍ୟକାଳରେ ସେ ବହୁତ କିଛି କରିଥିବା ଭାବୁଛନ୍ତି ବୋଲି ସିମନ୍ସ କହିଛନ୍ତି। ଆଫଗାନିସ୍ତାନ ଦଳ ଜୁନ୍‌ ୧ ତାରିଖରେ ୫ଥର ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ଅଭିଯାନ ଆରମ୍ଭ କରିବ।

Share