ବିଶ୍ୱକପ୍‌ ରେକର୍ଡ ଅଧିକାରୀ ଶାହିନ ଆଫ୍ରିଦୀ

ଲଣ୍ଡନ,୬।୭- ୧୯ ବର୍ଷୀୟ ପାକିସ୍ତାନ ବୋଲର ଶାହିନ ଶାହ ଆଫ୍ରିଦୀ ଶୁକ୍ରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍‌ରେ ସେ ୯.୧ ଓଭର ବୋଲିଂ କରି ୩୫ ରନ୍‌ ବ୍ୟୟରେ ୬ ଉଇକେଟ ଅକ୍ତିଆର କରିଥିଲେ। ଏହା ଚଳିତ ବିଶ୍ୱକପ୍‌ରେ ଯେକୌଣସି ବୋଲରଙ୍କ ଲାଗି ସର୍ବଶ୍ରେଷ୍ଠ ସ୍ପେଲ। ଏପର୍ଯ୍ୟନ୍ତ କୌଣସି ବୋଲର ଗୋଟିଏ ମ୍ୟାଚ୍‌ରେ ୬ ଉଇକେଟ ନେଇପାରିନାହାନ୍ତି। ସେ ବିଶ୍ୱକପ୍‌ ଇତିହାସରେ ସର୍ବକନିଷ୍ଠ ବୋଲର ଭାବେ ୬ ଉଇକେଟ ଅକ୍ତିଆର କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ସେହିଭଳି କ୍ରିକେଟର ମକ୍କା କୁହାଯାଉଥିବା ଲଡର୍‌ସ ଗ୍ରାଉଣ୍ଡରେ ୫ ଉଇକେଟ ନେବାରେ ସେ ସର୍ବକନିଷ୍ଠ ବୋଲର। ଏ ନେଇ ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡ ପକ୍ଷରୁ ଟୁଇଟର ଜରିଆରେ ଶାହିନଙ୍କୁ ଶୁଭେଚ୍ଛା ଦିଆଯାଇଛି। ଶାହିନ ବିଶ୍ୱର ସର୍ବକନିଷ୍ଠ ବୋଲର ଭାବେ ଲଡର୍‌ସଠାରେ ୫ ଉଇକେଟ ନେଇଛନ୍ତି। ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ ଯୋଗୁ ଶାହିନଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା। ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଥର ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଏହି ଧାରାରେ ସେ ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି। ସଚିନ ୧୯୯୨ ସଂସ୍କରଣରେ ଦୁଇଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ।

Share