Categories: ଖେଳ

ବିଶ୍ୱକପ୍‌ ପରେ କେମିତି ବ୍ୟବହାର ହେବ ଷ୍ଟାଡିୟମ

ଦୋହା,୯ା୧୨(ପି.ଟି.):କାତାରରେ ଫୁଟବଲ ବିଶ୍ୱକପ୍‌ ଧୀରେ ଧୀରେ ଆଗେଇବା ସହିତ ବର୍ତ୍ତମାନ ନକ୍‌ଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୧୫ ଦିନ ପରେ ଶେଷ ହେବ ଫୁଟବଲର ଏହି ମହାକୁମ୍ଭ। ତେବେ ବିଶ୍ୱକପ୍‌ ସମାପ୍ତ ହେବା ପରେ ଷ୍ଟାଡିୟମଗୁଡିକର ଅବସ୍ଥା କ’ଣ ହେବ ଏହାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ। ୭ ଷ୍ଟାଡିୟମ ମଧ୍ୟରୁ ଗୋଟିଏ ହେଉଛି ଷ୍ଟାଡିୟମ ୯୭୪। ଏହି ଷ୍ଟାଡିୟମଟିକୁ ବିଶ୍ୱକପ୍‌ ପରେ ସମ୍ପୂର୍ଣ୍ଣ ଭାବରେ ଖୋଲାଯିବ। ତେବେ ଏହା କେବେ ଖୋଲାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଉପଲବ୍ଧ ନାହିଁ। ଏହା ସହିତ କାତାର ଆଗାମୀ ଦିନରେ ଏସିଆନ୍‌ ଗେମ୍ସ କିମ୍ବା ଅଲିମ୍ପିକ୍ସ ଆୟୋଜନ ପାଇଁ ବିଡିଂରେ ସାମିଲ ହୋଇପାରେ। ଫିଫାର ନିୟମ ଅନୁସାରେ ଫାଇନାଲ ମ୍ୟାଚ ପାଇଁ ଷ୍ଟାଡିୟମର ଦର୍ଶକ କ୍ଷମତା ୮୦ ହଜାର ରହିଥିବା ବେଳେ ସେମିଫାଇନାଲ ପାଇଁ ୬୦ ହଜାର ଓ ଅନ୍ୟ ମ୍ୟାଚ ନିମନ୍ତେ ୪୦ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମ ଆବଶ୍ୟକ। ୨୦୧୦ରେ କାତାର ୧୨ ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା କରିଥିଲା। ତେବେ ୭ଟି ଷ୍ଟାଡିୟମ ନିର୍ମାଣ କରାଯାଇଥିବା ବେଳେ ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମକୁ ୨୦୧୯ରେ ପୁନଃନିର୍ମାଣ କରାଯାଇଥିଲା। ଏହି ଟୁର୍ନାମେଣ୍ଟ ଶେଷରେ କାତାରକୁ ଏଭଳି ଟୁର୍ନାମେଣ୍ଟର ଆବଶ୍ୟକ ମଧ୍ୟ ନାହିଁ। ତେବେ ସମସ୍ତ ଷ୍ଟାଡିୟମର କିଛି ସିଟ୍‌ ଖାଲି କରାଯିବା ସହିତ ଭିତ୍ତିଭୂମି ଆବଶ୍ୟକ କରୁଥିବା ରାଷ୍ଟ୍ରଗୁଡିକୁ ପଠାଇବା ପାଇଁ କାତାର ନିଷ୍ପତ୍ତି ନେଇଛି। ଷ୍ଟାଡିୟମ ନିର୍ମାଣରେ କେତେ ଖର୍ଚ୍ଚ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ପ୍ରାୟ ୨୦୦ ବିଲିୟନ୍‌ ଡଲାର ଅର୍ଥ ଖର୍ଚ୍ଚ ହୋଇଛି। ସମସ୍ତ ଷ୍ଟାଡିୟମଗୁଡିକ ଭିନ୍ନ ଭିନ୍ନ ସ୍ଥାପତ୍ୟ କଳାରେ ସମୃଦ୍ଧ ଅଟନ୍ତି। ଲୁସେଲ୍‌ ଷ୍ଟାଡିୟମ ହାତ ତିଆରି ଗିନା ଆକୃତିର ହୋଇଥିବା ବେଳେ ଅଲବାୟଟ ଷ୍ଟାଡିୟମ ଏକ ଡେଜର୍ଟ ଟେଣ୍ଟ ପରି ହୋଇଛି। ସେହିପରି ମହିଳା ଆର୍କିଟେକ୍ଟ ଜାହା ହାଦିଦଙ୍କ ଡିଜାଇନରେ ପ୍ରସ୍ତୁତ ଅଲ ଜନୌବ ଷ୍ଟାଡିୟମ ଏକ ମୁକ୍ତାର ଭ୍ରମ ସୃଷ୍ଟି କରେ। ଲୁସେଲ ଷ୍ଟାଡିୟମକୁ ଏକ କମ୍ୟୁନିଟି ସ୍ପେସ୍‌ରେ ପରିଣତ କରାଯିବ। ସ୍କୁଲ, କାଫେ ଓ ଅନ୍ୟାନ୍ୟ ଦୋକାନ ନିର୍ମାଣ କରାଯାଇ ଏହାକୁ ବିକଶିତ କରାଯିବ। ଅଲ ବାୟଟ ଷ୍ଟାଡିୟମକୁ ଏକ ପଞ୍ଚତାରକା ହୋଟେଲରେ ପରିଣତ କରାଯିବାକୁ ଥିବା ବେଳେ ଅଲ ଜନୌବ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ସେହିପରି ଖଲିଫା ଷ୍ଟାଡିୟମକୁ କାତାର ଦଳର ଜାତୀୟ କ୍ରୀଡା ଇଭେଣ୍ଟ ପାଇଁ ବ୍ୟବହାର କରାଯିବ। ଏହା ସହିତ ବାକି ଷ୍ଟାଡିୟମଗୁଡିକୁ ଜାନୁୟାରୀ ୨୦୨୪ ଏସିଆନ୍‌ ଗେମ୍ସ ପାଇଁ ବ୍ୟବହାର କରାଯିବ। ଏପରିକି ଷ୍ଟାଡିୟମ ୯୭୪କୁ ମଧ୍ୟ ଏସିଆନ୍‌ ଗେମ୍ସ ପରେ ଅଲଗା କରାଯିବାର ସମ୍ଭାବନା ରହିଛି।

Share