ବିଶ୍ୱକୁ ବିପଦ ବାଣିଜ୍ୟ ଯୁଦ୍ଧ

ଓସାକା,୨୯ା୬ (ପି.ଟି./ଆଇଏଏନ୍‌ଏସ୍‌): ଜାପାନର ଓସାକାରେ ଶୁକ୍ରବାର ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ବିଶ୍ୱ ଅର୍ଥନୀତି, ବହୁପାକ୍ଷିକ ବାଣିଜ୍ୟ ଓ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି। ଏହି ଦୁଇଦିନିଆ ସମ୍ମିଳନୀରେ ନିଯୁକ୍ତି, ମହିଳା ସଶକ୍ତୀକରଣ ଓ ସ୍ବାସ୍ଥ୍ୟସେବା ଆଦି ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇଛି। ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଜି-୨୦ ଅର୍ଥନୀତିର ନେତା ଓ ଅନ୍ୟ ପ୍ରତିନିଧିମାନଙ୍କୁ ସ୍ବାଗତ କରିଥିଲେ। ସମ୍ମିଳନୀକୁ ସମ୍ବୋଧିତ କରି ଆବେ କହିଥିଲେ, ସାମ୍ପ୍ରତିକ ବାଣିଜି୍ୟକ ପରିବେଶକୁ ନେଇ ସେ ଚିନ୍ତିତ। ମୁକ୍ତ ଓ ଭେଦଭାବରହିତ ବାଣିଜ୍ୟ ଉପରେ ଏକ କଡ଼ା ସନ୍ଦେଶ ଜରୁରୀ। ବିଶ୍ୱ ଅର୍ଥନୀତିକୁ ଆଗେଇ ନେବା ପାଇଁ ଆବଶ୍ୟକ ସମସ୍ତ ନୀତିକୁ ଜି-୨୦ ରାଷ୍ଟ୍ର ସମୂହ ଆପଣାଇବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ।
ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଲାଗିରହିଥିବାବେଳେ ଏହାକୁ ହ୍ରାସ କରିବା ଉପରେ ଜି-୨୦ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଛି। ଦୁଇଦେଶ ‘ଯେସାକୁ ତେସା’ ନ୍ୟାୟରେ ପରସ୍ପର ବିରୋଧରେ କଟକଣା ଜାରି କଲେ କୌଣସି ରାଷ୍ଟ୍ର ଏଥିରୁ ଲାଭବାନ ହେବେନାହିଁ। ତେଣୁ ଏହାର ତୁରନ୍ତ ସମାଧାନ କରାଯିବା ଉଚିତ। ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଚାଇନା ପ୍ରତିପକ୍ଷ ଜି ଜିନ୍‌ପିଙ୍ଗ୍‌ ଶନିବାର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଯେ, ଓ୍ବାଶିଂଟନ ଓ ବେଜିଂ ମଧ୍ୟରେ ୨୦୧୮ରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ଚିନ୍ତାବ୍ୟକ୍ତ କରି ସମାଧାନର ପନ୍ଥା ବାହାର କରିବାକୁ ପରାମର୍ଶ ଦେଇଛନ୍ତି।
୧୯୯୯ରେ ପ୍ରତିଷ୍ଠିତ ଜି-୨୦ ହେଉଛି ଆର୍ଥିକ ପ୍ରସଙ୍ଗଗୁଡ଼ିକ ଉପରେ ସହଯୋଗ ବୃଦ୍ଧି ପାଇଁ ଏକ ଅନ୍ତର୍ଜାତୀୟ କେନ୍ଦ୍ରୀୟ ମଞ୍ଚ। ୟୁରୋପୀୟ ସଂଘ (ଇୟୁ) ଏବଂ ୧୯ଟି ରାଷ୍ଟ୍ର ଏହାର ସଦସ୍ୟ। ଏହି ରାଷ୍ଟ୍ରଗୁଡ଼ିକ ହେଲା ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ରୁଷିଆ, ସୌଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ ଓ ଆମେରିକା।

Share