Advertisement

ବିଶ୍ୱକୁ ମିଛ କହିଥିଲା ଚାଇନା

ବେଜିଂ, ୩।୫: କରୋନା ଭୂତାଣୁ ସାରାବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱକୁ ବ୍ୟାପିଥିବା ଏହି ଭୂତାଣୁର ଉତ୍ପତ୍ତି ଓ ସଂକ୍ରମଣ ସମ୍ପର୍କରେ ଚାଇନା ଜାଣିଶୁଣି ତଥ୍ୟ ଲୁଚାଇଥିଲା, ଯାହା ଫଳରେ ଏହି ପ୍ରାଣଘାତୀ ଭୂତାଣୁ କବଳରୁ ରକ୍ଷା ପାଇବା ଲାଗି ସଫଳ ଔଷଧ ପ୍ରସ୍ତୁତିରେ ବିଶ୍ୱବାସୀଙ୍କ ପ୍ରୟାସ ବିଳମ୍ବ ହେଲା ବୋଲି ଏକ ଗୋଇନ୍ଦା ଦଲିଲ୍‌ରେ ଦାବି କରାଯାଇଛି। ଚାଇନାର ଏଭଳି ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ପ୍ରୟାସ ଯୋଗୁ ଲକ୍ଷାଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ଏଥିରେ ଦର୍ଶାଯାଇଛି। ୧୫ ପୃଷ୍ଠା ସମ୍ବଳିତ ଏହି ଡୋଜିୟର ଚାଇନାକୁ କାଠଗଡ଼ାରେ ଠିଆ କରାଇବ ବୋଲି କୁହାଯାଉଛି।
ଆମେରିକା, କାନାଡା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ପକ୍ଷରୁ ଫାଇଭ୍‌ ଆଇ ଇଣ୍ଟେଲିଜେନ୍ସ ଏଜେନ୍ସିର ଏହି ଦଲିଲ୍‌ ଚାଇନାର ଗୁପ୍ତ ରହସ୍ୟର ପର୍ଦ୍ଦାଫାଶ୍‌ କରିଛି। ପ୍ରାରମ୍ଭରେ କରୋନା ଭୂତାଣୁ ମଣିଷରୁ ମଣିଷକୁ ବ୍ୟାପିବାର ଆଶଙ୍କା ନାହିଁ ବୋଲି ଚାଇନା କହିଥିବା ଏଥିରେ ଦର୍ଶାଯାଇଛି। ଉହାନ୍‌ରେ ଭୂତାଣୁ ବ୍ୟାପିବା ପରେ ଚାଇନାର ଏଭଳି ଦାବିକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାନୁୟାରି ୧୪ରେ ସତର୍କ କରାଯାଇଥିଲା। ଚାଇନାର ପ୍ରାଥମିକ ତଦନ୍ତରେ କୌଣସି ସତ୍ୟତା ନ ଥିବା ଦର୍ଶାଯାଇଥିଲା। ଭୂତାଣୁ ବ୍ୟାପିବାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଇନା ନୀରବ ରହିଥିଲା। ଏନେଇ ଡାକ୍ତର ଓ ବିଶେଷଜ୍ଞମାନେ ତନାଘନା କରିବାରୁ ଚାଇନା ପକ୍ଷରୁ ଏସବୁକୁ ବନ୍ଦ କରାଯାଇ ତଥ୍ୟଗୁଡ଼ିକୁ ବିଜ୍ଞାନାଗାରରୁ ଧ୍ୱଂସ କରାଯାଇଥିଲା। ଏମିତିକି ସର୍ଚ୍ଚ ଇଞ୍ଜିନରୁ ମଧ୍ୟ କେତେକ ତଥ୍ୟ ଜାଣିଶୁଣି ଡିଲିଟ୍‌ କରାଯାଇଥିଲା। ନିଜ ଦେଶରେ ଚାଇନା ନିଜ ଲୋକଙ୍କ ଗସ୍ତ ଉପରେ କଟକଣା ଲଗାଇଥିବା ବେଳେ ଅନ୍ୟ ଦେଶଗୁଡ଼ିକୁ ଏହି କଟକଣା ଲଗାଇବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲା। ଉହାନ୍‌ରେ ଭୂତାଣୁ ଉଗ୍ରରୂପ ନେବା ପରେ ଲକ୍ଷ ଲକ୍ଷ ଲୋକ ସେଠାରୁ ଭୟରେ ପଳାଇ ଆସିଥିଲେ। ଜାନୁୟାରୀ ୨୩ରେ ବେଜିଂରେ ଲକ୍‌ଡାଉନ୍‌ ଲାଗୁ ହେବା ପରେ ମଧ୍ୟ ଚାଇନା ସବୁକିଛି ଲୁଚାଇ ରଖିଥିଲା। ଏପରିକି ଫେବୃୟାରୀ ପର୍ଯ୍ୟନ୍ତ ଆମେରିକା, ଭାରତ, ଅଷ୍ଟ୍ରେଲିଆ, ଇଟାଲୀ ଭଳି ଅନ୍ୟ ଦେଶଗୁଡ଼ିକ ଭୂତାଣୁର ଭୟାବହତା ଓ କଟକଣା ନେଇ ସୁରାକ ପାଇ ନ ଥିଲେ ବୋଲି ଦର୍ଶାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share