ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା: ୨୨ ଛାତ୍ରଙ୍କ ନାମରେ ନୋଟିସ

ସମ୍ବଲପୁର,୭ା୪(ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ସ୍ଥିତିରେ ବୁଧବାର ସୁଧାର ଆସିଛି। ଅଫିସ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଘଟଣାରେ ୧୦୦ରୁ ଊର୍ଦ୍ଧ୍ୱ ସାମିଲ ଥିବା ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ସେଥିମଧ୍ୟରୁ ୨୨ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ନୋଟିସ କରି ଛାଡି ଦିଆଯାଇଛି। ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ବି.ବି. ଭୋଇ କହିଛନ୍ତି। ସୂଚନାଯୋଗ୍ୟ ଯୁକ୍ତ ୩ ବର୍ଷର ଥାର୍ଡ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନରେ କରିବା ପାଇଁ ଛାତ୍ରୀଛାତ୍ର ମଙ୍ଗଳବାର ଦାବି କରିବାକୁ ଆସିଥିବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠାରେ ଛାତ୍ରୀଛାତ୍ର ଭଙ୍ଗାରୁଜା କରିଥିଲେ। ଅନ୍ୟପକ୍ଷେ ଛାତ୍ରୀଛାତ୍ର ଆଲୋଚନା ପାଇଁ ଆସିଥିବା ସମୟରେ ପୋଲିସ ଅତର୍କିତ ଭାବେ ଲାଠିଚାର୍ଜ କରିଥିବା ପାଲଟା ଅଭିଯୋଗ ହୋଇଥିଲା। ଛାତ୍ରୀଛାତ୍ରଙ୍କ ଦାବିକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠି ଲେଖିଥିବା ଜଣାପଡିଛି।

Share