ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନରେ ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକ(ଭାରତ) ଜୁନୈଦ କମାଲ୍‌ ଅହମ୍ମଦଙ୍କୁ ସାକ୍ଷାତ କରିଛନ୍ତି। ଅପରାହ୍ନରେ ହୋଇଥିବା ଏହି ସାକ୍ଷାତ୍‌କାର ସମୟରେ ଉଭୟଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ବିଶେଷ ଭାବେ ବିଶ୍ୱବ୍ୟାଙ୍କ୍‌ ସହଯୋଗରେ ଓଡ଼ିଶା ବିକାଶ ପ୍ରକ୍ରିୟା କିପରି ତ୍ୱରାନିତ ହେବ ସେ ନେଇ ଆଲୋଚନା କରାଯାଇଛି।
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡିକର ଅଧିକ ଭାଗୀଦାରି, ଦାରିଦ୍ର୍ୟ ଦୂରୀକରଣ ଏବଂ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟକାରିତା ଉପରେ ରାଜ୍ୟ ପ୍ରଶାସନ ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଦାରିଦ୍ର୍ୟ ଦୂରୀକରଣ ସହ ସାମାଜିକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପଞ୍ଜୀକରଣ ଉପରେ ଉଭୟ ଗୁରୁତ୍ୱ ଦେଇଥିଲେ। ବିଶ୍ୱବ୍ୟାଙ୍କ୍‌ର କଣ୍ଟ୍ରି ପାର୍ଟନରଶିପ୍‌ ଫ୍ରେମ୍‌ୱାର୍କ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ କାମ ଚାଲୁଅଛି। ୨୦୧୮ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଆସନ୍ତା ୨୦୨୨ ଯାଏ ଚାଲିବ। ଏହି ସମୟ ମଧ୍ୟରେ କେଉଁ କ୍ଷେତ୍ରକୁ ବିଶ୍ୱବ୍ୟାଙ୍କ୍‌ର ଅଧିକ ଆବଶ୍ୟକତା ରହିଛି, ତାହା ନିରୂପଣ କରାଯାଇ କାର୍ଯ୍ୟ କରାଯିବ। ଏଥିପାଇଁ ବିଶ୍ୱବ୍ୟାଙ୍କ୍‌ ପକ୍ଷରୁ ରାପିଡ୍‌ ଷ୍ଟେଟ୍‌ ଡାଇଗ୍ନୋଷ୍ଟିକ୍‌ ଷ୍ଟଡି କରାଯାଇଥିଲା। ନବୀନ-ଜୁନେଦଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତକାର ସମୟରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।