ବିଶ୍ୱଭୂଷଣଙ୍କ ରେକର୍ଡ ଭାଙ୍ଗିଲେ ରୀତା : ମୁଖ୍ୟମନ୍ତ୍ରୀଙ୍କ ଭୋଟ ବ୍ୟବଧାନକୁ ଟପିଲେ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ବରଗଡ ଜିଲା ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ୯୭,୯୯୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହା ଓଡ଼ିଶା ରାଜନୀତିରେ କୌଣସି ବିଧାନସଭା ନିର୍ବାଚନରେ ସର୍ବକାଳୀନ ବୃହତ୍‌ ବ୍ୟବଧାନ। ପୂର୍ବରୁ ଏହି ରେକର୍ଡ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ପୂର୍ବତନ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାମରେ ରହିଥିଲା। ୨୦୦୦ ମସିହାରେ ହରିଚନ୍ଦନ ଭୁବନେଶ୍ୱର ବିଧାନସଭା ଆସନରୁ ୯୪,୫୫୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ବିଶ୍ୱଭୂଷଣଙ୍କ ଏହି ରେକର୍ଡ ପ୍ରାୟ ଦୁଇ ଦଶନ୍ଧି ଧରି ମାଇଲଖୁଣ୍ଟ ହୋଇ ରହିଥିଲା ଚଳିତ ବିଜେପୁର ଉପନିର୍ବାଚନରେ ରୀତା ପୋଲିଂ ହୋଇଥିବା ମୋଟ ଭୋଟର ୭୩.୮୭% ଅର୍ଥାତ୍‌ ୧,୩୫,୯୫୭ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସନତ ଗଡତିଆ ମାତ୍ର ୩୭,୯୬୭ ଖଣ୍ଡ ଭୋଟ ପାଇଛନ୍ତି। ଏହାସହିତ ରୀତା ୨୦୧୮ ଉପନିର୍ବାଚନ ଏବଂ ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରେକର୍ଡ ବିଜୟ ବ୍ୟବଧାନକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଏହାର ବର୍ଷକ ପରେ ଅନୁଷ୍ଠିତ ହୋଇଥିଲା ସାଧାରଣ ନିର୍ବାଚନ। ଏଥିରେ ବିଜେଡି ପ୍ରାର୍ଥୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କୁ ୫୭,୧୨୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ସର୍ବାଧିକ ବ୍ୟବଧାନରେ ବିଜୟୀ ହେବାର ରେକର୍ଡ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାମରେ ଥିଲା। ହେଲେ ଏହାର ୫ ମାସ ପରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ତାହାକୁ ଭାଙ୍ଗି ଦେଇଛନ୍ତି।

Share