ବିଶ୍ୱରେ ମୋଦି ଭାରତର ସବୁଠାରୁ ପସନ୍ଦଯୋଗ୍ୟ ପୁରୁଷ

ଲଣ୍ଡନ,୧୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ଭାରତର ସବୁଠାରୁ ପସନ୍ଦଯୋଗ୍ୟ ପୁରୁଷ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛକୁ ରହିଛନ୍ତି ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ। ସେହିପରି ଭାରତୀୟ ମହିଳାମାନଙ୍କ ଭିତରେ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ। ବ୍ରିଟେନର ଇଣ୍ଟରନେଟ୍‌ ମାର୍କେଟ ରିସର୍ଚ୍ଚ ଆଣ୍ଡ ଡେଟା ଆନାଲିଟିକ୍ସ ଫର୍ମ YouGov ଦ୍ୱାରା ଜାରି କରାଯାଇଥିବା ଚଳିତ ବର୍ଷ ବିଶ୍ୱର ଶୀର୍ଷ ୨୦ ଜଣ ପ୍ରଶଂସିତ ମହିଳା ଓ ପୁରୁଷଙ୍କ ତାଲିକାରେ ଏମାନଙ୍କୁ ସ୍ଥାନ ଦିଆଯାଇଛି। ଏହା ଅନ୍‌ ଲାଇନ୍‌ ଭୋଟିଂ ଜରିଆରେ ନିର୍ଣ୍ଣୟ କରାଯାଇଛି। ଗତବର୍ଷ ପରି ବିଲ୍‌ ଗେଟସ୍‌ ଏଥର ମଧ୍ୟ ବିଶ୍ୱର ସବୁଠାରୁ ପସନ୍ଦଯୋଗ୍ୟ ପୁରୁଷର ମାନ୍ୟତା ପାଇଛନ୍ତି। ସେହିପରି ମହିଳାମାନଙ୍କ ମଧ୍ୟରେ ବରାକ ଓବାମାଙ୍କ ସ୍ତ୍ରୀ ମିଶେଲ ଓବାମା ପସନ୍ଦଯୋଗ୍ୟ ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି। ମିଶେଷ ହଲିଉଡ୍‌ ନାୟିକା ଆଞ୍ଜେଲିନା ଜଲିଙ୍କୁ ପଛରେ ପକାଇ ଏହି ସ୍ଥାନ ଅକ୍ତିୟାର କରିଛନ୍ତି। ସେହିପରି ବଲିଉଡ କଳାକାରଙ୍କ ମଧ୍ୟରେ ଅମିତାଭ ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ତାଲିକାରେ ଅମିତାଭଙ୍କ ସ୍ଥାନ ରହିଛି ୧୨ ନମ୍ବରରେ। ତାଙ୍କ ପଛକୁ ଶାହାରୁଖ ଖାଁ ୧୬ ଓ ସଲମାନ ୧୮ ନମ୍ବର ସ୍ଥାନରେ ରହିଛନ୍ତି। ସେମିତି କଲିଉଡ ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ, ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା ଓ ସୁସ୍ମିତା ସେନଙ୍କୁ ସାମିଲ କରାଯାଇଛି।

Share