ବିଶ୍ୱରେ ସର୍ବାଧିକ ପ୍ରବାସୀ ଭାରତୀୟ

ଜାତିସଂଘ,୧୯ା୯(ପି.ଟି.): ଚଳିତ ବର୍ଷର ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଜାତିସଂଘର ନୂଆ ଆକଳନ ଅନୁଯାୟୀ ସାରା ବିଶ୍ୱରେ ୨୭ କୋଟି ୨୦ ଲକ୍ଷ ପ୍ରବାସୀ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ୧ କୋଟି ୭୫ ଲକ୍ଷ, ଯାହା କି ସର୍ବାଧିକ।
ଜାତିସଂଘର ଆର୍ଥତ୍କ ଓ ସାମାଜିକ ବ୍ୟାପର ବିଭାଗର ଜନସଂଖ୍ୟା ଶାଖା ପକ୍ଷରୁ ଅନ୍ତର୍ଜାତୀୟ ପ୍ରବାସୀ ତଥ୍ୟ ୨୦୧୯ ବୁଧବାର ପ୍ରକାଶ ପାଇଛି। ଏଥିରେ ଥିତ୍ବା ପ୍ରଥମ ୧୦ଟି ଦେଶର ପ୍ରବାସୀଙ୍କ ସଂଖ୍ୟା ମୋଟ ଅନ୍ତର୍ଜାତୀୟ ପ୍ରବାସୀର ଏକ-ତୃତୀୟାଂଶ। ୧୭.୫ ନିୟୁତ ପ୍ରବାସୀଙ୍କ ସହ ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ମେକ୍ସିକୋ (୧୧.୮ ନିୟୁତ) ଓ ତୃତୀୟରେ ଚାଇନା (୧୦.୭ ନିୟୁତ) ରହିଛି। ଅନ୍ୟମାନଙ୍କ ମଧ୍ୟରେ ରୁଷିଆ, ସିରିଆ, ବାଂଲାଦେଶ, ପାକିସ୍ତାନ, ୟୁକ୍ରେନ୍‌, ଫିଲିପାଇନ୍ସ ଓ ଆଫଗାନିସ୍ତାନ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଛନ୍ତି।
ଅନ୍ୟପକ୍ଷରେ ଭାରତ ଚଳିତ ବର୍ଷ ୫୧ଲକ୍ଷ ଅନ୍ତର୍ଜାତୀୟ ପ୍ରବାସୀଙ୍କୁ ନିଜ ଦେଶରେ ସ୍ଥାନ ଦେଇଛି। ୨୦୧୦ରୁ ଭାରତରେ ଅନ୍ତର୍ଜାତୀୟ ପ୍ରବାସୀଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୦.୪ ପ୍ରତିଶତ ରହିଆସିଛି। ସେମାନଙ୍କ ମଧ୍ୟରେ ମହିଳା ପ୍ରବାସୀଙ୍କ ସଂଖ୍ୟା ୪୮.୮ ପ୍ରତିଶତ। ଭାରତରେ ରହିଥିବା ପ୍ରବାସୀଙ୍କ ମଧ୍ୟରୁ ୨ ଲକ୍ଷ ୭ ହଜାର ଶରଣାର୍ଥୀ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଭାରତକୁ ସର୍ବାଧିକ ପ୍ରବାସୀ ବାଂଲାଦେଶ, ପାକିସ୍ତାନ ଓ ନେପାଳରୁ ଆସିଥାନ୍ତି।
ଚଳିତ ବର୍ଷ ୟୁରୋପ ମହାଦେଶ ସର୍ବାଧିକ ୮୨ ନିୟୁତ ପ୍ରବାସୀଙ୍କୁ ସ୍ଥାନ ଦେଇଥିବା ବେଳେ ଏହା ପଛକୁ ଉତ୍ତର ଆମେରିକା (୫୯ ନିୟୁତ) ଏବଂ ଉତ୍ତର ଆଫ୍ରିକା ଓ ପଶ୍ଚିମ ଏସିଆ (୪୯ ନିୟୁତ) ରହିଛି। ସର୍ବାଧିକ ପ୍ରବାସୀ ରହିଥିବା ଦେଶ ମଧ୍ୟରେ ଆମେରିକା ପ୍ରଥମ ।
ଏହା ପଛକୁ ଜର୍ମାନୀ ଓ ସୌଦି ଆରବ ରହିଛନ୍ତି। ଆମେରିକା ସର୍ବାଧିକ ୫୧ ନିୟୁତ ପ୍ରବାସୀ ବସବାସ କରୁଛନ୍ତି। ଜର୍ମାନୀ ଓ ସୌଦି ଆରବରେ ୧୩ ନିୟୁତ ଲେଖାଏ ପ୍ରବାସୀ ରହୁଥିବାବେଳେ ରୁଷିଆରେ ୧୨ ନିୟୁତ, ବ୍ରିଟେନରେ ୧୦ ନିୟୁତ ଏବଂ ୟୁଏଇରେ ୯ ନିୟୁତ ପ୍ରବାସୀ ଅଛନ୍ତି।

Share