ବିଶ୍ୱରେ ୧୭,୨୫୦ କରୋନା ମୃତ୍ୟୁ

ନୂଆଦିଲ୍ଲୀ୨୫ା୩: ବିଶ୍ୱବ୍ୟାପୀ କରୋନା ମୃତ୍ୟୁସଂଖ୍ୟା ମଙ୍ଗଳବାର ୧୭, ୨୫୦ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୩୯୬,୨୩୬ ଛୁଇଁଛି। ଚାରିଆଡ଼େ ଲୋକଙ୍କ ମନରେ ଭୟର ବାତାବରଣ। ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ ଏହି ଭୂତାଣୁ ମୁଣ୍ଡ ଗଡ଼ାଇଚାଲିଛି। ଚାଇନା ପରେ ପ୍ରାଣଘାତୀ କରୋନା ଭାଇରସ୍‌ ୟୁରୋପ, ଆମେରିକା ଦେଶଗୁଡ଼ିକରେ ଭୟଙ୍କର ତାଣ୍ଡବ ରଚିଛି। ଇଟାଲୀରେ ଅଦ୍ୟାବଧି କରୋନା ଭାଇରସ୍‌ ଜନିତ ମୃତ୍ୟୁସଂଖ୍ୟା ୬,୦୭୭ରେ ପହଞ୍ଚିଥିବା ବେଳେ ୬୩,୯୨୭ ସଂକ୍ରମିତ ଥିବା ଜଣାପଡ଼ିଛି। ସେହିଭଳି ସ୍ପେନରେ ୨,୬୯୬ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୯,୬୭୩ରେ ପହଞ୍ଚିଛି। ଇରାନରେ ୧୯୩୪ଜଣ ମୃତ୍ୟୁବରଣ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨୫ ହଜାରରେ ପହଞ୍ଚିଛି। ଚାଇନାରେ ୩,୨୭୭ ଜଣ ପ୍ରାଣ ହରାଇଥିଲେ ହେଁ ପୂର୍ବାପେକ୍ଷା ସ୍ଥିତିରେ ନିୟନ୍ତ୍ରଣ ଆସିପାରିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮୧,୧୭୧। ସେହିଭଳି ଆମେରିକାରେ ମୃତକଙ୍କ ସଂଖ୍ୟା ୫୮୮କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୬, ୨୫୬। ଫ୍ରାନ୍ସରେ ୮୬୦, ଜର୍ମାନୀରେ ୧୩୩, ସ୍ବିଜରଲାଣ୍ଡରେ ୧୨୨, ବ୍ରିଟେନରେ ୩୩୭, ଦକ୍ଷିଣ କୋରିଆରେ ୧୨୦, ନେଦରଲାଣ୍ଡରେ ୨୭୬ ବ୍ୟକ୍ତି ପ୍ରାଣ ହରାଇଲେଣି। କରୋନା ଭାଇରସ୍‌ ବିଶ୍ୱର ୧୯୪ ଦେଶକୁ ସଂକ୍ରମିତ ହୋଇଥିବା ବେଳେ ଚାରିଆଡ଼ ଲକ୍‌ଡାଉନ୍‌ କରାଯାଇଛି। ଲୋକେ ସଚେତନ ନ ହେଲେ ଓ ସାମାଜିକ ଦୂରତ୍ୱ ରକ୍ଷା କରିବାରେ ବିଫଳ ହେଲେ ପରିସ୍ଥିତି ଅଧିକ ଭୟଙ୍କର ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।

Share