Categories: ଖେଳ

‘ବିଶ୍ୱରେ ୪୦୦୦ ବାଘ ଥିବେ, କିନ୍ତୁ ରାହୁଲ ଦ୍ରାବିଡ ଗୋଟିଏ’

ନୂଆଦିଲ୍ଲୀ,୧୪।୮: ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ରସ ଟେଲର ଏବେ ନିଜ ଆତ୍ମଜୀବନୀ ‘ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ପୁସ୍ତକରେ ସେ ନିଜ କ୍ରିକେଟ୍‌ ଜୀବନରେ ଘଟିଥିବା ଅନେକ କାହାଣୀ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକରେ ସେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡଙ୍କୁ ପ୍ରଶଂସା କରିଛନ୍ତି।
୨୦୧୧ ଆଇପିଏଲ ସମୟରେ ରସ ଟେଲର ରାହୁଲ ଦ୍ରାବିଡ ଏବଂ ସେନ ଓ୍ବାର୍ଣ୍ଣଙ୍କ ସହ ଡ୍ରେସିଂ ରୁମ ବାଣ୍ଟିବାର ସୁଯୋଗ ପାଇଥିଲେ। ଟେଲର ଦ୍ରାବିଡଙ୍କ ସହ ଭେଟ ସମୟର ଏକ ଘଟଣା ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, ଦ୍ରାବିଡଙ୍କ ସହ ରନ୍ଥାମ୍ବୋର ଜାତୀୟ ଉଦ୍ୟାନକୁ ବାଘ ଦେଖିବା ପାଇଁ ଯାଇଥିଲେ। ସେଠାରେ ବିରଳ ବାଘ ଦେଖିବା ଅପେକ୍ଷା ସାଧାରଣ ଜନତା ଦ୍ରାବିଡଙ୍କୁ ଦେଖିବାକୁ ଅଧିକ ଆଗ୍ରହ ଦେଖାଇଥିଲେ।
ଟେଲର ବ୍ୟାଖ୍ୟା କରିଛନ୍ତି- ମୁଁ ଦ୍ରାବିଡଙ୍କୁ ପଚାରିଲି ତୁମେ କେତେଥର ବାଘ ଦେଖିଛ? ସେ କହିଥିଲେ ଯେ, ମୁଁ କେବେ ବାଘ ଦେଖି ନାହିଁ। ଯଦିଓ ୨୧ଥର ଜଙ୍ଗଲ ସଫାରିରେ ଯାଇଛି, କିନ୍ତୁ ଗୋଟିଏ ବି ବାଘ ଦେଖି ନାହିଁ। ମୁଁ ଆଶ୍ଚର୍ଯ୍ୟ ହୋଇ ଭାବିଥିଲି, ଯଦି ମୁଁ ଏହା ଜାଣିଥାନ୍ତି, ତେବେ ତାଙ୍କ ସହିତ ଯାଇ ନ ଥା’ନ୍ତି। ବରଂ ଡିସ୍‌କଭରୀ ଚ୍ୟାନେଲ୍‌ରେ ଦେଖି ଦେଇଥାନ୍ତି। ସେଦିନ ଆମେ ଏକ ଖୋଲା ଏସୟୁଭିରେ ଥିଲୁ, ଯାହା ଲ୍ୟାଣ୍ଡ ରୋଭର୍ସଠାରୁ ଟିକେ ବଡ। ବାଘଟି ଆମଠାରୁ ୧୦୦ ମିଟର ଦୂରରେ ଥିବା ଏକ ପଥର ଉପରେ ଥିଲା। ଜଙ୍ଗଲରେ ଏକ ବାଘ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ, କିନ୍ତୁ ଅନ୍ୟ ଗାଡିରେ ବାଘ ଦେଖିବା ପରିବର୍ତ୍ତେ ଲୋକମାନେ ରାହୁଲଙ୍କୁ ଦେଖୁଥିଲେ। ଦୁନିଆରେ ବୋଧହୁଏ ପ୍ରାୟ ୪୦୦୦ ବାଘ ଅଛନ୍ତି, କିନ୍ତୁ ରାହୁଲ ଦ୍ରାବିଡ କେବଳ ଗୋଟିଏ ।
ଟେଲର ଚଳିତ ବର୍ଷ ଆରମ୍ଭରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଗତ ଗୁରୁବାର ତାଙ୍କ ଆତ୍ମଜୀବନୀ ପ୍ରକାଶ କରିଥିଲେ। ଏହି ପୁସ୍ତକରେ ଟେଲର ଜାତିଭେଦ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯାହା ତାଙ୍କ ଖେଳ ଜୀବନରେ ସେ ସମ୍ମୁଖୀନ ହୋଇଥିଲେ।

Share