Categories: ଫୁରସତ

ବିଶ୍ୱର ସବୁଠାରୁ ୫ସୁନ୍ଦର ମସ୍‌ଜିଦ୍‌

ମୁସ୍‌ଲିମ୍‌ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌। ଏହି ପର୍ବ ପାଳନ କରିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି। ଇଦ୍‌ ଦିନ ନୂଆ ନୂଆ ବସ୍ତ୍ର ପିନ୍ଧିବା ସହିତ ଲୋକମାନେ ମସ୍‌ଜିଦ୍‌ ଯାଇ ସମୂହ ପ୍ରାର୍ଥନା କରିଥାନ୍ତି। ନମାଜ ପଢ଼ି ସାରିବା ପରେ ଉଭୟ ପରସ୍ପରଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି। ତେବେ ସାରା ବିଶ୍ୱରେ ପ୍ରସିଦ୍ଧ ଓ ସୁନ୍ଦର ମସ୍‌ଜିଦ୍‌ ବିଷୟରେ ଆସନ୍ତୁ ଜାଣିବା।


ନୁର ଅସ୍ଥାନା ମସ୍‌ଜିଦ୍‌(କାଜିକସ୍ତାନ): କାଜିକସ୍ତାନର ନୁର ଅସ୍ଥାନା ମସ୍‌ଜିଦ୍‌ର ନିର୍ମାଣ ୨୦୦୮ରେ ହୋଇଥିଲା। ଏହି ମସ୍‌ଜିଦ୍‌କୁ ତିଆରି କରିବା ପାଇଁ କାଚର ବ୍ୟବହାର କରାଯାଇଛି। ଯାହା ଏହି ମସ୍‌ଜିଦ୍‌ର ଶୋଭା ଆହୁରି ବଢ଼ାଇ ଦେଇଛି। ଏହି ମସ୍‌ଜିଦ୍‌ର ରଙ୍ଗ ଗୋଲଡେନ ରହିଥିବା ବେଳେ ଏହା ସେଣ୍ଟ୍ରାଲ ଏସିଆର ସବୁଠାରୁ ବଡ଼ ମସ୍‌ଜିଦ୍‌ ବୋଲି ଜଣାଯାଏ।


ଶେଖ ଜାୟଦ ଗ୍ରାଣ୍ଡ ମସ୍‌ଜିଦ୍‌(ଆବୁ ଧାବି): ଶେଖ ଜାୟଦ ଆବୁ ଧାବି(ୟୁଏଇ)ର ସବୁଠାରୁ ବଡ଼ ମସ୍‌ଜିଦ୍‌। ମସ୍‌ଜିଦ୍‌ର ଗମ୍ବୁଜ ଏହାକୁ ଅଧିକ ଆକର୍ଷଣୀୟ କରିଛି। ଏହି ମସ୍‌ଜିଦ୍‌ରେ ପ୍ରାୟ ୮୨ଟି ଗମ୍ବୁଜ ରହିଛି। ୨୦୦୭ରେ ତିଆରି ହୋଇଥିବା ଏହି ମସ୍‌ଜିଦ୍‌ର ନିର୍ମାଣ ପାଇଁ ପ୍ରାୟ ୧୧ବର୍ଷ ଲାଗିଯାଇଥିଲା। ଏହାର ନିର୍ମାଣ ପାଇଁ ୬ଶହ ମିଲିୟନ ଡଲାର ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି।


ସୁଲତାନ ଅହମ୍ମଦ ମସ୍‌ଜିଦ୍‌(ଇସ୍ତାନବୁଲ): ଇସ୍ତାନବୁଲର ଏହି ମସ୍‌ଜିଦ୍‌କୁ ବ୍ଲୁ ମସ୍‌ଜିଦ୍‌ କୁହାଯାଏ। ଏହି ମସ୍‌ଜିଦ୍‌ର ଇତିହାସ ବହୁ ପୁରୁଣା। ଅଟୋମନ ଏମ୍ପାୟାର ଖିଲାଫତ୍‌ ଉସ୍‌ମାନିଆ ସମୟରେ ୧୬୦୯ରେ ଏହି ମସ୍‌ଜିଦ୍‌କୁ ତିଆରି କରାଯାଇଥିଲା। ମସ୍‌ଜିଦ୍‌ର ଗମ୍ବୁଜଗୁଡିକରେ ନୀଳ ରଙ୍ଗର ଟାଇଲ୍ସ ଲଗାଯାଇଛି। ଏହି କାରଣରୁ ଏହାକୁ ବ୍ଲୁ ମସ୍‌ଜିଦ୍‌ କୁହାଯାଏ।


ବାଦଶାହୀ ମସ୍‌ଜିଦ୍‌(ଲାହୋର): ବାଦଶାହୀ ମସ୍‌ଜିଦ୍‌ ପାକିସ୍ତାନର ଲାହୋରରେ ଅବସ୍ଥିତ। ଏହି ମସ୍‌ଜିଦ୍‌କୁ ୧୬୭୩ରେ ମୋଗଲ ସମ୍ରାଟ ଔରଙ୍ଗଜେବ ନିର୍ମାଣ କରିଥିଲେ। ଏହା ମୋଗଲ ସମୟର ସୌନ୍ଦର୍ଯ୍ୟ ଓ କାରୁକାର୍ଯ୍ୟର ପ୍ରମାଣ ଦିଏ। ଏହା ପାକିସ୍ତାନର ଦ୍ୱୀତିୟ ବଡ଼ ମସ୍‌ଜିଦ୍‌। ଏଥିରେ ଏକାସହ ୫୫ହଜାର ଲୋକ ନମାଜ ପାଠ ପଢ଼ିପାରିବେ।


ମସ୍‌ଜିଦ୍‌-ଇ-ନବଭିି(ସାଉଦି ଆରବ): ସାଉଦି ଆରବର ମଦିଦା ସହରରେ ମସ୍‌ଜିଦ୍‌-ଇ-ନବଭି ଅବସ୍ଥିତ। ଏହି ମସ୍‌ଜିଦ୍‌କୁ ବିଶ୍ୱର ସବୁଠାରୁ ସୁନ୍ଦର ମସ୍‌ଜିଦ୍‌ରେ ଗଣାଯାଏ। ଏହି ମସ୍‌ଜିଦ୍‌ରେ ପ୍ରାୟ ୧୦ଲକ୍ଷ ଲୋକ ଏକାସାଙ୍ଗରେ ନମାଜ ପାଠ ପଢ଼ିପାରିବେ।

Share