Categories: ଗଞ୍ଜାମ

ବିଶ୍ୱର ସବୁଠୁ କ୍ଷୁଦ୍ର ରଥ :ନ୍ୟାଶନାଲ ବୁକ ଅଫ ରେକର୍ଡରେ ସ୍ଥାନିତ ,ଗିନିଜ ବୁକ ଅଫ ରେକର୍ଡ ଦେବ ସ୍ବତନ୍ତ୍ର ମାନ୍ୟତା

ବ୍ରହ୍ମପୁର ଅଫିସ,୪ା୭-ପୁଣି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା । ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ କାଠରେ ସେ ବିଶ୍ୱର ସବୁଠୁ କ୍ଷୁଦ୍ରରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ୨.୫ ଇଞ୍ଚ ଉଚ୍ଚତା, ୨ ଇଞ୍ଚ ଓସାର ବିଶିଷ୍ଟ ଅବିକଳ ନନ୍ଦିଘୋଷ ଆକୃତିର ଏହି ରଥ ନ୍ୟାଶନାଲ ରେକର୍ଡ ସେକ୍ଟରରେ ସ୍ଥାନିତ ହୋଇଛି । ଏହାକୁ ଗିନିଜ୍‌ ବୁକ ଅଫ ରେକର୍ଡ ସ୍ବତନ୍ତ୍ର ମାନ୍ୟତା ଦେବ ବୋଲି ସତ୍ୟ ପ୍ରକାଶ କରିଛନ୍ତି । ଏହି ରଥରେ ୧୬ଟି ଚକ, ୪ଟି ଘୋଡା, ଦୁଇଟି ଓଲଟ ଶୁଆ, ଦଧିନଉତି, ପତିତପାବନ ବାନା ଖଞ୍ଜା ଯାଇଛି । ରଥରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିର ଉଚ୍ଚତା ମାତ୍ର ୧ ସେ.ମି. ରହିଥିବା ବେଳେ ସାରଥିଙ୍କ ଉଚ୍ଚତା ୧.୫ ସେ.ମି.  ରହିଛି । ରଥର ଓଜନ ମାତ୍ର ୮ ଗ୍ରାମ । ୪ ଦିନ ମଧ୍ୟରେ ସତ୍ୟ ଏହାକୁ ନିର୍ମାଣ କରିଥିବା କହିଛନ୍ତି।
ଶ୍ରୀଗୁଣ୍ଡିଚା ଯାତ୍ରା ଓ ଶ୍ରୀଜଗନ୍ନାଥଙ୍କ ମହିମାକୁ ବିଶ୍ୱସ୍ତରରେ ପହଞ୍ଚାଇବା ନିମନ୍ତେ ଏକ ନିଆରା ପ୍ରୟାସ କରି ଆସୁଛନ୍ତି ସୋରଡ଼ାରେ ଜନ୍ମିତ ସତ୍ୟ ମହାରଣା। ୨୦୧୬ ରଥଯାତ୍ରା ସମୟରେ ସତ୍ୟ ପ୍ରଥମେ କାଠରେ ୧୪ ଇଞ୍ଚ ଉଚ୍ଚତା ଓ ୯ ଇଞ୍ଚ ଓସାର ବିଶିଷ୍ଟ ନନ୍ଦିଘୋଷ, ୧୩.୫ ଇଞ୍ଚ ଉଚ୍ଚତା ଓ ୮.୫ ଇଞ୍ଚ ଓସାର ବିଶିଷ୍ଟ ତାଳଧ୍ୱଜ, ୧୨.୫ ଇଞ୍ଚ ଉଚ୍ଚତା ଓ ୬ ଇଞ୍ଚ ଓସାର ବିଶିଷ୍ଟ ଦର୍ପଦଳନ ଆକୃତିର ରଥ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଥିଲେ । ୨୦୧୭ରେ ୮.୫ ଇଞ୍ଚ ଉଚ୍ଚତା ଓ ୫ ଇଞ୍ଚ ଓସାର ବିଶିଷ୍ଟ ନନ୍ଦିଘୋଷ ନିର୍ମାଣ କରି ଗ୍ଲୋବାଲ ବୁକ ଅଫ ରେକର୍ଡ, ୱାର୍ଲଡ ରେକର୍ଡ ସେକ୍ଟରରେ ରହିଥିଲେ। ୨୦୧୮ରେ ୪.୫ ଇଞ୍ଚ ଉଚ୍ଚତା ଓ ୩ ଇଞ୍ଚ ଓସାରର ରଥ ନିର୍ମାଣ କରି ଏସିଆ ପାସିଫିକ ରେକର୍ଡ, ଗ୍ଲୋବାଲ ବୁକ ଅଫ ରେକର୍ଡ, ନ୍ୟାଶନାଲ ରେକର୍ଡରେ, ୱାର୍ଲଡ ରେକର୍ଡ ଇଣ୍ଡିଆରେ ସ୍ଥାନିତ ହୋଇଥିଲେ ।