ନାଗପୁର, ୨୦।୬: ଜୁନ୍ ୨୧ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ ଭାରତ ସମେତ ସାରା ଦେଶରେ ପ୍ରସ୍ତୁତି ଚାଲିଥିବାବେଳେ ଏହାପୂର୍ବରୁ ବିଶ୍ୱର ସବୁଠୁ କ୍ଷୁଦ୍ର ମହିଳା ଜ୍ୟୋତି ଆମନେ ଯୋଗ କରୁଥିବାର ନଜର ଆସିଛନ୍ତି। ସେ ନିଜର ଯୋଗ ଟ୍ରେନରଙ୍କ ସହ ଯୋଗ କରିଛନ୍ତି। ନାଗପୁରର ଏକ ପାର୍କରେ ଜ୍ୟୋତିଙ୍କ ସହ ହଜାର ହଜାର ପିଲା ଯୋଗ କରିଛନ୍ତି। ସୂଚନାଯୋଗ୍ୟ, ନିଜର କମ ଉଚ୍ଚତା ହେବା ସତ୍ତ୍ୱେ ବି ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ଗଢିପାରିଛନ୍ତି। ନିଜର କମ ଉଚ୍ଚତା ଯୋଗୁ କେବେ ବି ନିଜକୁ ଅନ୍ୟ ସାମ୍ନାରେ ହାସ୍ୟର ବିଷୟ ପାଲଟିବାକୁ ଦେଇ ନାହାନ୍ତି। ଜ୍ୟୋତି ଦୁନିଆର ସବୁଠାରୁ ଛୋଟ ମହିଳା ଭାବେ ସମ୍ମାନ ପ୍ରାପ୍ତ କରିଛନ୍ତି। ୧୯୯୩ ଡିସେମ୍ବର ୧୬ରେ ଜ୍ୟୋତି ମହାରାଷ୍ଟ୍ରର ନାଗପୁରଠାରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଜ୍ୟୋତି ଏକ ଦୁର୍ଲଭ ରୋଗର ଶିକାର ହୋଇଥିଲେ ଯାହା ଫଳରେ ତାଙ୍କ ଉଚ୍ଚତା ବଢିବା ବନ୍ଦ ହୋଇଯାଇଥିଲା। ଜ୍ୟୋତି ଏଇ ଗତ କିଛିଦିନ ତଳେ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିଛନ୍ତି। ଜ୍ୟୋତିଙ୍କ ଉଚ୍ଚତା ପ୍ରାୟ ୬୨ ସେଣ୍ଟିମିଟର ଓ ତାଙ୍କ ଓଜନ ୫ କିଲୋଗ୍ରାମ।