Categories: ଫୁରସତ

ବିଶ୍ୱର ସବୁଠୁ ବ୍ୟୟବହୁଳ ଘୋଡ଼ା ଦୌଡ଼ ପ୍ରତିଯୋଗିତା: ପ୍ରଥମ ମହିଳା ଭାବେ ଭାଗ ନେବେ ନିକୋଲା

ରିୟାଦ: ସାଉଦି ଆରବରେ ୨୯ ଫେବୃୟାରୀରେ ବିଶ୍ୱର ସବୁଠୁ ବ୍ୟୟବହୁଳ ଘୋଡ଼ା ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ ପୁରସ୍କାର ରାଶି ରହିଛି ୧୪୩ କୋଟି ଟଙ୍କା। ବିଜେତାଙ୍କୁ ୭୨ କୋଟି, ରନର୍ସଅପ୍‌ଙ୍କୁ ୨୫ କୋଟି ମିଳିବ। ଖାଲି ଏତିକି ନୁହେଁ, ୧୦ମ ସ୍ଥାନ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ। ସେଥିପାଇଁ ପୁରସ୍କାର ରାଶି ୧୪୩ କୋଟି ରହିଛି।

ଖାସ୍‌ କଥା ହେଲା ଏହି ଦୌଡ଼ରେ ୭ଟି ଅନ୍ତଃରାଷ୍ଟ୍ରୀୟ ମହିଳା ଜକି ଭାଗ ନେବେ। ଏମାନଙ୍କ ମଧ୍ୟରୁ ନିକୋଲା କ୍ୟୁରୀ ସାଉଦି ଆରବ ରେସ୍‌ରେ ପ୍ରଥମ ମହିଳା ପ୍ରତିଯୋଗୀ ଭାବେ ଭାଗ ନେବାକୁ ଯାଉଛନ୍ତି। କୁହାଯାଉଛି, ‘ଦ ସାଉଦି କପ୍‌’ ଦେଖିବା ପାଇଁ ପ୍ରାୟ ୧୦ ହଜାର ଦର୍ଶକ ପହଞ୍ଚିବେ। ୧୮୦୦ ମିଟର ମୁଖ୍ୟ ଦୌଡ଼ ‘ଅବ୍‌ଦୁଲ ଅଜିଜ୍‌ ରେସ ଟ୍ରାକ୍‌’ରେ ଶନିବାର ଆରମ୍ଭ ହେବ।


ସାଉଦି ଆରବର ଜକି କ୍ଲବର ରଣନୀତି ଏବଂ ଅନ୍ତଃରାଷ୍ଟ୍ରୀୟ ରେସିଂ ନିର୍ଦ୍ଦେଶକ ଟମ୍‌ ରୟାନ୍‌ କହିଛନ୍ତି, ଏହି ଖେଳ ସାଉଦି ଆରବକୁ ଏ ସ୍ବତନ୍ତ୍ର ପରିଚୟ ଦେବ। ଏହା ସହିତ ଅନ୍ତଃରାଷ୍ଟ୍ରୀୟ ଘୋଡ଼ା ପାଇଁ ଉଦ୍ୟୋଗ ଖୋଲିବ ଏବଂ ବୈଷୟିକ ରେସିଂ ଉପରେ ଧାରଣା ବଢ଼ିଯିବ।

Share