Categories: ରାୟଗଡା

ବିଶ୍ୱସ୍ତରୀୟ ହେବ ରାୟଗଡ଼ା ଷ୍ଟେଶନ

ରାୟଗଡ଼ା ଅଫିସ, ୨୫ା୭: ରାୟଗଡ଼ା ରେଳଷ୍ଟେଶନ ହେବ ବିଶ୍ୱସ୍ତରୀୟ। ଆସନ୍ତା ସେପ୍ଟେମ୍ବରରେ ଏଥିନିମନ୍ତେ କାର୍ଯ୍ୟ ଆରମ୍ଭ ହେବ। ସେପ୍ଟେମ୍ବର ଶେଷ ସୁଦ୍ଧା ଆଇଏସ୍‌ଓ-୧୪୦୦୧ ସାର୍ଟିଫିକେଟ ହସ୍ତଗତ ହେବା ପରେ ଏହା ଆଗକୁ ଗଡ଼ିବ। ତେବେ ସାର୍ଟିଫିକେଟ ପ୍ରଦାନ ପାଇଁ ବୁଧବାର ରେଳ ବିଭାଗ ତରଫରୁ ଦୁଇ ଜଣିଆ ଟିମ୍‌ ଷ୍ଟେଶନ ଅନୁଧ୍ୟାନ କରିଛନ୍ତି। ପୂର୍ବତଟ ରେଳପଥର ୬ଟି ରେଳଷ୍ଟେଶନକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେହି ତାଲିକାରେ ରହିଛି ରାୟଗଡ଼ା। ନିକଟରେ ରାୟଗଡ଼ା ରେଳଷ୍ଟେଶନ ଡିଭିଜନର ମାନ୍ୟତା ପାଇଛି। ତେଣୁ ପ୍ରଥମେ ବିଶ୍ୱସ୍ତରୀୟ କାର୍ଯ୍ୟ ରାୟଗଡ଼ାରୁ ଆରମ୍ଭ କରିବା ନିମନ୍ତେ ଆଇଏସ୍‌ଓ ସଂସ୍ଥାର ଏସ୍‌.କେ. ବିଦ୍ୟାର୍ଥୀ ଓ ଓ୍ବାଇ. କେ. ପ୍ରସାଦ ରାୟଗଡ଼ା ଆସି ଅନୁଧ୍ୟାନ କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି। ମୁଖ୍ୟତଃ ଷ୍ଟେଶନର ପରିବେଶ ପ୍ରତି ପ୍ରାଥମିକତା ଦେଇଛନ୍ତି ଏହି ଟିମ୍‌। ଷ୍ଟେଶନ ଚତୁଃପାର୍ଶ୍ୱକୁ ସବୁଜ କରିବା ସହ ସଫେଇ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି। ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ, ବିଶ୍ରାମକକ୍ଷ ଓ ଶୁଦ୍ଧ ବାତାବରଣ ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟ କରିବାକୁ ରେଳ ବିଭାଗକୁ ପରାମର୍ଶ ଦିଆଯାଇଛିି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆଇଏସ୍‌ଓ ସାର୍ଟିଫିକେଟ ପ୍ରଦାନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଟିମ୍‌ ମୁଖ୍ୟ ବିଦ୍ୟାର୍ଥୀ କହିଛନ୍ତି। ସେହିଭଳି ବିନା ଟିକେଟରେ ପ୍ଲାର୍ଟଫର୍ମ ଭିତରକୁ ପ୍ରବେଶ କରି ଯାତ୍ରୀଙ୍କୁ ଅସୁବିଧାରେ ପକାଉଥିବା ବ୍ୟକ୍ତିଙ୍କ ଉପରେ ରୋକ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯେଉଁସବୁ ତ୍ରୁଟି ରହିଛି, ତାହା ସଂଶୋଧନ କଲେ ନିଶ୍ଚିତ ଭାବେ ରାୟଗଡ଼ା ଏକ ବିଶ୍ୱସ୍ତରୀୟ ଷ୍ଟେଶନ ହୋପାରିବ ବୋଲି ଏହି ଟମ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରାୟଗଡ଼ା ଷ୍ଟେଶନର ସମସ୍ତ ପ୍ଲାଟ୍‌ଫର୍ମକୁ ଯାଇ ସୁବିଧା ଓ ଅସୁବିଧା ଅନୁଧ୍ୟାନ କରିଥିଲେ। ତେବେ ଏହି ସମୟରେ ରାୟଗଡ଼ାଠାରେ ଆଉ ଏକ ପ୍ଲାଟ୍‌ଫର୍ମର ଆବଶ୍ୟକତା ଥିବା ଟିମ୍‌ ସଦସ୍ୟମାନେ ହୃଦ୍‌ବୋଧ କରିଛନ୍ତି।