ବିଶ୍ୱସ୍ତରୀୟ ହେବ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ପୁରୀ ଜିଲାରେ ପ୍ରସ୍ତାବିତ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ହେବ। ଏହି ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ପର୍ଯ୍ୟଟନ ସଚିବ ବିଶାଳ କୁମାର ଦେବ ପ୍ରକଳ୍ପ ବିକାଶର ସାମ୍ପ୍ରତିକ ସ୍ଥିତି ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ।
ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରି ଏହାକୁ ଏକ ବିଶ୍ୱସ୍ତରୀୟ ଏକକ ପ୍ରକଳ୍ପ ଭାବେ ନିର୍ମାଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ ପାଇଁ ୯୭୨ ଏକର ଜମି ଅଧିଗ୍ରହଣ ସରିଛି। ତେଣୁ ଏଥିରେ ପ୍ରାଚୀର ନିର୍ମାଣ ପାଇଁ ଇଡ୍‌କୋକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ତଟବର୍ତ୍ତୀ ହୋଇଥିବାରୁ ପ୍ରାଚୀରକୁ ଯଥା ସମ୍ଭବ ଲୁଣା ପ୍ରଭାବଜନିତ ଅବକ୍ଷୟ ନିରୋଧକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅଧିକ ବ୍ୟୟ କରୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନେଇ ଯୋଜନା ପ୍ରସ୍ତୁତ କରାଯାଉଛି।
ପର୍ଯ୍ୟଟକ ସଚିବ ବିଶାଳଦେବ କହିଥିଲେ ଯେ, ଇତିମଧ୍ୟରେ ଶାମୁକା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସରିଛି । ପ୍ରକଳ୍ପ ନିର୍ମାଣ ନିମନ୍ତେ ଇଡ୍‌କୋ ଏବଂ ଓଡ଼ିଶା ପର୍ଯ୍ୟଟନ ନିଗମଙ୍କ ସହଭାଗିତାରେ ‘ଶାମୁକା ପର୍ଯ୍ୟଟନ ବିକାଶ ନିଗମ’ ନାମରେ ଏକ ଯୁଗ୍ମ କମ୍ପାନୀ ଗଠନ କରାଯାଇଛି। ପ୍ରକଳ୍ପ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ଅନୁମତି, ତଟବର୍ତ୍ତୀ ଅଞ୍ଚଳ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁମତି ଏବଂ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିସାରିଛି।
ସେହିପରି ପରିବର୍ତ୍ତିତ ପ୍ରାକୃତିକ ପରିବେଶ ଯୋଗୁ ପୂର୍ବ ପ୍ରସ୍ତୁତି ‘ମାଷ୍ଟର ପ୍ଲାନ୍‌’ରେ କିଛି ପରିବର୍ତ୍ତନ କରାଯିବାର ଆବଶ୍ୟକତା ଅଛି । ସମୁଦ୍ର ତଟରେ ନୂଆ କରି ବାଲିକୁଦ ସୃଷ୍ଟି ହେଉଛି। ସେଗୁଡିକର କୌଣସି କ୍ଷତି ନ କରି ପ୍ରକଳ୍ପ ଯୋଜନାର ଅନ୍ତରୀଣ ପରିବର୍ତ୍ତନ କରାଯିବ । ଏଥିରେ କଳା ଓ ସଂସ୍କୃତି କେନ୍ଦ୍ର, ସଂଗ୍ରହାଳୟ, ବିଳାସପୂଣ୍ଣର୍ର୍ ହୋଟେଲ, ଗଲ୍‌ଫ କୋର୍ସ, ଭିଲ୍ଲା, ଆବାସିକ ଆପାର୍ଟମେଣ୍ଟ, ଷ୍ଟ୍ରିଟ୍‌ ବଜାର, ଆତିଥ୍ୟ ପ୍ରତିଷ୍ଠାନ ଏବଂ ମିଶ୍ରିତ ପର୍ଯ୍ୟଟନ ସମ୍ପତ୍ତି ନିର୍ମାଣ କରାଯିବ । ଖୋଲା ଜାଗା ଏବଂ ପାର୍କ ମଧ୍ୟ ରହିବ । ପରିବର୍ତ୍ତିତ ମାଷ୍ଟର ପ୍ଲାନ୍‌ ୪ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ ବୋଲି ବିଶାଳଦେବ କହିଥିଲେ ।

Share