Categories: ଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ : ନିରାଶ କଲେ ଲଙ୍ଗ ଜମ୍ପର ଶ୍ରୀଶଙ୍କର

ଦୋହା,୨୮।୯(ପି.ଟି.)- କାତାର ରାଜଧାନୀ ଦୋହାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ବିଶ୍ୱ ଆଥଲେଟିକ ଚାମ୍ପୟିନଶିପ୍‌। ପ୍ରଥମ ଦିବସରେ ଭାରତ ପାଇଁ ଅଭିଯାନ ଆରମ୍ଭ କରିଥିବା ଲଙ୍ଗ୍‌ ଜମ୍ପର ମୁରଲୀ ଶ୍ରୀଶଙ୍କର ନିରାଶ କରିଛନ୍ତି। ସେ ପୁରୁଷ ଲଙ୍ଗ ଜମ୍ପର ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। ୨୭ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ୨୨ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ଶ୍ରୀଶଙ୍କରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୭.୬୨ ମି.। ତେବେ ଇଭେଣ୍ଟ କ୍ୱାଲିଫାଇଂ ମାର୍କ ୮.୧୫ ମି. ରହିଥିଲା। କେରଳ ଆଥଲେଟ୍‌ ଶ୍ରୀଶଙ୍କରଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ତେବେ ଶେଷରେ ସେ ନିରାଶ କରିଛନ୍ତି। ଗତବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ଓପନ୍‌ ଚାମ୍ପିୟନଶିପ୍‌ରେ ୮.୧୧ ଓ ୮.୨୦ ମିଟର ଡେଇଁ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।
ପ୍ରଥମ ପ୍ରୟାସରେ ସେ ୭.୫୨ମି. ଡେଇଁଥିଲେ। ଏହାପରେ ଦ୍ୱିତୀୟ ପ୍ରୟାସରେ ସାମାନ୍ୟ ଉନ୍ନତି କରି ୭.୬୨ ମି. ଡେଇଁଥିଲେ। ଅଟୋମେଟିକ୍‌ କ୍ୱାଲିଫିକେଶନ ମାର୍କ ୮.୧୫ମି. ଥିଲା। ଯଦି ୧୨ଜଣ ଫାଇନାଲ୍‌ରେ ଏହି କ୍ୱାଲିଫିକେଶନ ମାର୍କ ସହିତ ଉତୀର୍ଣ୍ଣ ନ ହୁଅନ୍ତି ତେବେ ଏହାଠାରୁ କମ୍‌ ଲମ୍ବ ଡେଉଁଥିବା ଆଥଲେଟ୍‌ ଅଗ୍ରଗତି କରିବାର ସୁଯୋଗ ରହିଥିଲା। ଶ୍ରୀଶଙ୍କର ଏକ କ୍ରୀଡ଼ାବିତ୍‌ ପରିବାରରୁ ଆସିଛନ୍ତି। ତାଙ୍କ ମାତାପିତା ଉଭୟ କ୍ରୀଡ଼ାବିତ ଥିଲେ।

Share