Categories: ଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: କୋଲମେନଙ୍କ ଚମକ

ଦୋହା,୩୦।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣରେ ଆମେରିକା ତାରକା ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲମେନ ଅତି ସୁନ୍ଦର ଢଙ୍ଗରେ ୧୦୦ମିଟର ଦୌଡରେ ଟାଇଟଲ ହାସଲ କରିଛନ୍ତି। ସ୍ଥାନୀୟ ଖଲିଫା ଇଣ୍ଟର ନ୍ୟାଶନାଲ ଷ୍ଟାଡିୟମରେ ସେ ଏହି ରେସ୍‌ର ମାତ୍ର ୯.୭୬ ସେକେଣ୍ଡ ସମୟ ନେଇ ନିଜ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ବହୁ ପଛରେ ପକାଇ ଚାମ୍ପିୟନ ହୋଇଛନ୍ତି। ଏଥିସହିତ ପ୍ରଥମଥର ପାଇଁ ସେ କ୍ୟାରିୟରର ମେଜର ଆଉଟ୍‌ଡୋର ଟାଇଟଲ ହାସଲ କରିଛନ୍ତି। ଏହି ବିଜୟ ସହ କୋଲମେନ ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରେ ୧୦୦ମି ରେସ୍‌ର ଫେଭରାଇଟ୍‌ ବିବେଚିତ ହୋଇଛନ୍ତି। ଜାମାଇକା କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଡଙ୍କ ଯୁଗ ଶେଷ ହେବା ପରେ ୨୩ ବର୍ଷୀୟ କୋଲମେନ ନୂଆ ଷ୍ଟାର ଧାବକ ଭାବେ ଉଭା ହୋଇଛନ୍ତି।
ତେବେ ଆମେରିକାର କିମ୍ବଦନ୍ତୀ ଧାବକ ମିଚେଲ ଜନସନ କୋଲମେନଙ୍କ ଏହି ବିଜୟକୁ ଗ୍ରହଣ କିରବାକୁ ରାଜି ନୁହନ୍ତି। ଡ୍ରଗ୍‌ ଟେଷ୍ଟରେ ସାମିଲ ହୋଇପାରି ନ ପାରି କୋଲମେନ ବିବାଦୀୟ ହୋଇପଡିଥିଲେ। ଏହି କାରଣରୁ ସେ କୋଲମେନଙ୍କ ସଫଳତାକୁ ସେତେଟା ଗୁରୁତ୍ୱ ନ ଦେଇ ମନ୍ତବ୍ୟ ଦେଇଛନ୍ତି। ତେବେ ଜନସନଙ୍କ ମନ୍ତବ୍ୟରେ କୋଲମେନ ଆଦୌ ପ୍ରଭାବିତ ନୁହଁ ବୋଲି କୋଲମେନ କହିଛନ୍ତି। ସେ କ’ଣ କହୁଛନ୍ତି ତାହାକୁ ଆଦୌ ଖାତିର କରେନାହିଁ ବୋଲି କୋଲମେନ କହିଛନ୍ତି। କେତୋଟି ବୈଷୟିକ ତ୍ରୁଟି କାରଣରୁ ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ହେବା ପରେ କୋଲମେନ ଦୋହାରେ ଦୌଡ଼ିବାର ସୁଯୋଗ ହାସଲ କରିଥିଲେ। ବୋଲ୍ଟଙ୍କ ଉତ୍ତରାଧିକାରୀ ରୂପେ କୋଲମେନଙ୍କୁ ବିବେଚନା କରାଯାଉଥିବାରୁ ଜନ୍‌ସନ ଏହାକୁ ଗ୍ରହଣ କରିନାହାନ୍ତି। କୌଣସି ପ୍ରକାର ଡୋପିଂ ମାମଲାରେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଜଡିତଥିବା ଆଥଲେଟ୍‌ମାନଙ୍କୁ ପ୍ରଶଂସକ ଗ୍ରହଣ କରିବେ ନାହିଁ ବୋଲି ଜନସନ ବିବିସିକୁ ସକ୍ଷାତକାର ଦେବା ଅବସରରେ କହିଥିଲେ। ତେବେ ପ୍ରଦର୍ଶନ ମାଧ୍ୟମରେ ମୁଁ ନିଜକୁ ପ୍ରମାଣିତ କରିବି ଓ ଜଜ୍‌ ତଥା ପ୍ରଶଂସକମାନେ ମଧ୍ୟ ପ୍ରଦର୍ଶନ ଭିତ୍ତିରେ ମୋ ପ୍ରତିଭାକୁ ସ୍ବୀକାର କରିବେ ବୋଲି କୋଲମେନ କହିଛନ୍ତି।

Share