Categories: ଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: ତେଜିନ୍ଦର, ଜିନସନ ବିଫଳ

ଦୋହା, ୫।୧୦(ପି.ଟି.)-
ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଭାରତୀୟ ଶଟ୍‌ପୁଟର ତେଜିନ୍ଦର ପାଲ୍‌ ସିଂ ତୁର୍‌ ଏବଂ ୧୫୦୦ ମିଟର ରନର ଜିନସନ ଜିନସନ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୨୪ ବର୍ଷୀୟ ତୁର୍‌ ସିଜନ ଶ୍ରେଷ୍ଠ ୨୦.୪୩ ମିଟର ପ୍ରଦର୍ଶନ କରିଥିଲେ ହେଁ ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ୍‌ ‘ବି’ରେ ୮ମସ୍ଥାନରେ ରହିଥିଲେ। ୩୪ ପ୍ରତିଯୋଗୀ ବିଶିଷ୍ଟ ପ୍ରତିଯୋଗିତାରେ ସେ ଓଭରଅଲ୍‌ ୧୮ତମ ସ୍ଥାନ ପାଇଥିଲେ। ସେହିପରି ଜିନସନ ଖରାପ ପ୍ରଦର୍ଶନ କରି ୩:୩୯.୮୬ ସେକେଣ୍ଡ ସମୟ ନେଇ ପ୍ରଥମ ରାଉଣ୍ଡ ହିଟ୍‌ରେ ୧୦ମ ସ୍ଥାନରେ ରହିଥିଲେ। ୪୩ ରନରଙ୍କ ମଧ୍ୟରେ ତାଙ୍କର ସ୍ଥାନ ଥିଲା ୩୪। ପୁରୁଷ ଶଟ୍‌ପୁଟ୍‌ ଇଭେଣ୍ଟର ଗ୍ରୁପ୍‌ ‘ଏ’ରେ ୮ ଶଟ୍‌ପୁଟର ୨୦.୯୦ ମିଟର ସହିତ ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ। ଫଳରେ ତୁର୍‌ଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ତାଙ୍କ ନାମରେ ୨୦.୭୫ ମିଟରର ଜାତୀୟ ରେକର୍ଡ ରହିଛି। ମାତ୍ର ଏହି ରେକର୍ଡ ବଜାୟ ରଖିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନ ଥିଲା। ଚଳିତ ସିଜନରେ ପୂର୍ବରୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନଥିଲା ୨୦.୩୬ ମିଟର। ଏଠାରେ ପ୍ରଥମ ଉଦ୍ୟମରେ ସେ ଏଥିରେ ଉନ୍ନତି ଆଣିଥିଲେ ହେଁ ପରବର୍ତ୍ତୀ ରାଉଣ୍ଡରେ ଫାଉଲ୍‌ କରିଥିଲେ। ତୃତୀୟ ତଥା ଅନ୍ତିମ ରାଉଣ୍ଡରେ ସେ ଜାତୀୟ ରେକର୍ଡ ସହ ୨୦.୯୦ ମିଟର ସ୍ପର୍ଶ କରିଥିଲେ ଯୋଗ୍ୟତା ହାସଲ କରିପାରିଥାନ୍ତେ। ମାତ୍ର ସେ ୧୯.୫୫ ମିଟର ଦୂରକୁ ଶଟ୍‌ପୁଟ୍‌ ଥ୍ରୋ କରି ପାରିଥିଲେ। ୨୦.୯୦ ମିଟର ଥ୍ରୋ କରିଥିବା ଏବଂ ପରବର୍ତ୍ତୀ ଶ୍ରେଷ୍ଠ ଶଟ୍‌ପୁଟରଙ୍କୁ ମିଶାଇ ମୋଟ ୧୨ ଜଣ ଫାଇନାଲକୁ ଯୋଗ୍ୟତା ପାଇଥିଲେ। ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ଏବଂ ୨୦୧୬ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ନ୍ୟୁଜିଲାଣ୍ଡର ଟୋମାସ ଓ୍ବାଲ୍ସ ୨୧.୯୨ ମିଟର ଥ୍ରୋ କରି ଶୀର୍ଷସ୍ଥାନ ହାସଲ କରିଥିଲେ। ସେହିପରି ଗତମାସରେ ନିଜ ନାମରେ ଥିବା ଜାତୀୟ ରେକର୍ଡ ଭାଙ୍ଗିଥିବା ୨୮ ବର୍ଷୀୟ ଜିନସନ ଶେଷ ପର୍ଯ୍ୟନ୍ତ ଭଲ ସ୍ଥିତିରେ ଥିଲେ ହେଁ ଫିନିଶ୍‌ ଲାଇନ୍‌ ଅତିକ୍ରମ କରିବା ବେଳକୁ ପଛରେ ପଡ଼ି ଯାଇଥିଲେ। ୩ଟି ହିଟ୍‌ର ଟପ୍‌ ୬ ଆଥଲେଟ୍‌ ଏବଂ ପରବର୍ତ୍ତୀ ଶ୍ରେଷ୍ଠ ଟାଇମିଂ ରଖିଥିବା ୬ ଜଣ ସେମିଫାଇନାଲରେ ପ୍ରବେଶ କରିଥିଲେ।

Share