Categories: ଖେଳ

ବିଶ୍ୱ ଚାମ୍ପିୟନଶିପ୍‌ରେ ଟ୍ରାଏଲରୁ ହଟିଲେ ପ୍ରବୀଣ ରାଣା

ନୂଆଦିଲ୍ଲୀ,୧୩।୮- ଆସନ୍ତା ସେପ୍ଟେମ୍ବର ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ କାଜାଖସ୍ତାନସ୍ଥିତ ନୁର ସୁଲତାନଠାରେ ବିଶ୍ୱ ରେସଲିଂ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏଥିନେଇ ହେବାକୁ ଥିବା ଚୟନ ଶିବିରରୁ ଡବଲ ଅଲିମ୍ପିକ୍‌ ପଦକଧାରୀ ସୁଶୀଲ କୁମାରଙ୍କ ବଡ଼ ପ୍ରତିଦ୍ୱନ୍ଦ୍ୱୀ ପ୍ରବୀଣ ରାଣା ଓହରିଯାଇଛନ୍ତି। ୭୪ କିଗ୍ରା ଓଜନ ବର୍ଗରେ ସୁଶୀଲଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଲେ ପ୍ରବୀଣ ରାଣା। ତାଙ୍କ କାନ୍ଧରେ ଆଘାତ ସମସ୍ୟା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ମୋ ଆହତ ସମସ୍ୟା ଗୁରୁତର। ବାମକାନ୍ଧ ମାଂସପେଶୀ ଟାଣି ହୋଇଯାଇଛି। ଏଥିଯୋଗୁ ଡାକ୍ତର ମୋତେ ୪ ସପ୍ତାହ ପାଇଁ ମ୍ୟାଚଠାରୁ ଦୂରେଇ ରହିବାକୁ କହିଛନ୍ତି। ସିନିୟର ନ୍ୟାଶନାଲ୍ସକୁ ଫେରିବା ଲାଗି ଲକ୍ଷ୍ୟ ରଖିଛି। ଆସନ୍ତା ଜାନୁୟାରୀରେ ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ପ୍ରସ୍ତୁତ ହେବି। ସେତେବେଳେ ମୁଁ ଟ୍ରାଏଲ୍ସରେ ସୁଶୀଲଙ୍କୁ ଭେଟିବି ବୋଲି ରାଣା କହିଛନ୍ତି। ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଜାଦାର ଇତିହାସ ରହିଛି। ୨୦୧୭ ନଭେମ୍ବରରେ ଜାତୀୟ ଚାମ୍ପିୟନଶିପ୍‌ ଫାଇନାଲରେ ରାଣା ସୁଶୀଲଙ୍କ ପାଦ ଛୁଇଁ ମ୍ୟାଟ ଛାଡ଼ିଥିଲେ। ପ୍ରବୀଣ ଆଉଟ୍‌ ହୋଇଯିବାରୁ ଜିତେନ୍ଦର କିନ୍‌ହା ଓ ଅମିତ ଧାଙ୍କର ଏହି ବର୍ଗରେ ସୁଶୀଲଙ୍କୁ ଚ୍ୟାଲେଞ୍ଜ କରିପାରନ୍ତି। କୌତୂହଳର କଥା ହେଲା କି, ଏସିଆନ ରେସଲିଂ ଚାମ୍ପିୟନଶିପ ରୌପ୍ୟପଦକ ବିଜେତା ଧାଙ୍କର ମଧ୍ୟ ସୁଶୀଲଙ୍କ ଭଳି ସମାନ ଆଖଡ଼ା ଛତ୍ରସାଲରୁ ଆସିଛନ୍ତି। ସେ ମଧ୍ୟ ସୁଶୀଲଙ୍କୁ ସମ୍ମାନ କରନ୍ତି। କିନ୍ତୁ ତାଙ୍କ ବିପକ୍ଷରେ ଶତ ପ୍ରତିଶତ ଦେବା ନେଇ ସେ କହିଛନ୍ତି।

Share