Categories: ଖେଳ

ବିଶ୍ୱ ଜୁନିୟର ସ୍ପ୍ରିଣ୍ଟ୍‌ କୁଇନ୍‌ ଡୋପ୍‌ ଟେଷ୍ଟରେ ବିଫଳ

କିଙ୍ଗ୍‌ଷ୍ଟନ,୨୯।୮(ଏଏଫ୍‌ପି)- ଦୁଇଥର ୨୦ ବର୍ଷରୁ କମ୍‌ ବିଶ୍ୱ ସ୍ପ୍ରିଣ୍ଟି ଟାଇଟଲ ହାସଲ କରିଥିବା ଜାମାଇକାର ବ୍ରିଆନା ଓ୍ବିଲିୟମ୍ସ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ନିଷିଦ୍ଧ ଡିୟୁରେଟିକ୍‌ ହାଇଡ୍ରୋକ୍ଲୋରୋଥାୟାଜାଇଡ୍‌ କାରଣରୁ ସେ ଡୋପ୍‌ ଟେଷ୍ଟରେ ଫେଲ୍‌ ମାରିଛନ୍ତି। ଫଳରେ ସେ ଆସନ୍ତା ମାସରେ ଆୟୋଜନ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ନ କରିବା ସମ୍ଭାବନା ସୃଷ୍ଟି ହୋଇଛି। ଗତ ଜୁନ୍‌ ୨୦ରୁ ୨୩ ତାରିଖ ମଧ୍ୟରେ ଅନୁଷ୍ଠିତ ଜାତୀୟ ସିନିୟର ଚାମ୍ପିୟନଶିପ୍‌ରେ ୧୭ ବର୍ଷୀୟା ଓ୍ବିଲିୟମ୍ସ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ଏହି ପ୍ରତିଯୋଗିତାରେ ସେ ୧୦୦ମିଟର ଦୌଡ଼ରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଫଳରେ ସେ ଦୋହାରେ ଆୟୋଜନ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ତାଙ୍କ ବି’ ନମୁନାରେ ଡିୟୁରେଟିକ୍‌ ହାଇଡ୍ରୋକ୍ଲୋରୋଥାୟାଜାଇଡ୍‌ ରହିଥିବାର ପ୍ରମାଣ ମିଳିଛି। ଫ୍ଲୋରିଡା ଜନ୍ମତ ଓ୍ବିଲିୟମ୍ସ ମାତ୍ର ୧୬ ବର୍ଷରେ ବିଶ୍ୱ ୨୦ ବର୍ଷରୁ କମ୍‌ ୧୦୦ ଓ ୨୦୦ ମିଟର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ଫିନ୍‌ଲାଣ୍ଡର ଟାମ୍ପରେଠାରେ ଏହି ଇଭେଣ୍ଟ ଆୟୋଜିତ ହୋଇଥିଲା। ତାଙ୍କୁ ଇଣ୍ଟନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍‌ ଫେଡେରେଶନ (ଆଇଏଏଏଫ୍‌) ଫିମେଲ ରାଇଜିଂ ଷ୍ଟାର ଓ ଲରେସ ବ୍ରେକ୍‌ଥ୍ରୁ ଅଫ୍‌ ଦି ଇୟର ପୁରସ୍କାର ପାଇଁ ନୋମିନେଟ କରାଯାଇଥିଲା। ୬ ତାରିଖରେ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଜାମାଇକା ତା’ର ଦଳ ଘୋଷଣା କରିବ।

Share