ବିଶ୍ୱ ନାଟ୍ୟ ମେଳାରେ ଖୋର୍ଦ୍ଧା ସାଉଁଟିଲା ୯ ପୁରସ୍କାର

ଖୋର୍ଦ୍ଧା ଅଫିସ,୧୧ା୯: ବିଶ୍ୱନାଟ୍ୟ ମେଳାରେ ଖୋର୍ଦ୍ଧାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଆନ୍ଦୋଳନ ପକ୍ଷରୁ ମଞ୍ଚସ୍ଥ ନାଟକ ଅଟୋବାଲା ୯ ଟି ବିଭାଗରେ ପୁରସ୍କାର ହାତେଇଛି। ଶ୍ରେଷ୍ଠ ପ୍ରଯୋଜନା ବିଭାଗରେ ଆନ୍ଦୋଳନର ଅଟୋବାଲା ପୁରସ୍କୃତ ହେବା ସହ ଶ୍ରେଷ୍ଠ ନାଟ୍ୟକାର ଡା. ଧନେଶ୍ୱର ସାହୁ, ଶ୍ରେଷ୍ଠ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତ ଓ ଶ୍ରେଷ୍ଠ ସଙ୍ଗୀତ ପରିଚାଳକ ଭାବରେ ସଞ୍ଜୀବ କୁମାର ନାୟକ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଅଭିନୟ ବିଭାଗରେ ଶ୍ରେଷ୍ଠ ଅଭିନେତା ଭାବେ ରିଣ୍ଟୁ ଜେନା, ଶ୍ରେଷ୍ଠ ଅଭିନେତ୍ରୀ ସୋନାଲୀ ସାହୁ, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଶିବରାମ ପୃଷ୍ଟି ଓ ଶ୍ରେଷ୍ଠ ଖଳନାୟକ ଦେବାଶୀଷ ସେଠୀ ଅନୁରୂପ ଭାବେ ପରୁସ୍କୃତ ହୋଇଛନ୍ତି। ଆନ୍ଦୋଳନର ଏହି ସଫଳତା ଖୋର୍ଦ୍ଧା ପାଇଁ ଗୌରବ ଆଣିଛି। ଗତ ୧ ତାରିଖଠାରୁ ୯ ତାରିଖ ପର୍ଯ୍ୟନ୍ତ କଟକ ସାରଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱନାଟ୍ୟ ମେଳା। ମଙ୍ଗଳବାର ଥିଲା ଉଦ୍‌ଯାପନୀ ଦିବସ। ବିଭିନ୍ନ ରାଜ୍ୟ ଓ ବିଦେଶରୁ ଅନେକ ନାଟ୍ୟ ଦଳ ସେମାନଙ୍କର ନାଟକ ମଞ୍ଚସ୍ଥ କରିଥିଲେ। ଗତ ୮ ତାରିଖରେ ଆନ୍ଦୋଳନ ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ନାଟକ ଅଟୋବାଲା।

Share