ବିଶ୍ୱ ପରିବେଶ ଦିବସ ଅବସରରେ ସୁଦର୍ଶନଙ୍କ ବାଲୁକା କଳା: ଗଛ ଲଗାଇ ବାୟୁ ପ୍ରଦୂଷଣ ରୋକିବାକୁ ବାର୍ତ୍ତା

ପୁରୀ ଅଫିସ,୫।୬(ବ୍ୟୁରୋ): ଆଜି ବିଶ୍ୱ ପରିବେଶ ଦିବସ। ଜଙ୍ଗଲ ଧ୍ୱଂସ କାରଣରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ମୁଣ୍ଡବିନ୍ଧାର ବିଷୟ ପାଲଟିଲାଣି। ଯଦି ଏହିପରି ଚାଲେ ତେବେ ଋତୁଚକ୍ରରେ ପରିବର୍ତ୍ତନ ଆସିବା ସ୍ବାଭାବିକ। ତେବେ ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି ‘ବିଟ୍‌ ଏୟାର ପଲ୍ୟୁଶନ’। ପୃଥିବୀର ତାପମାତ୍ରା ବୃଦ୍ଧର ଅନ୍ୟତମ ପ୍ରମୁଖ କାରଣ ପାଲଟିଥିବା ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ପଦକ୍ଷେପ ନେବା ଜରୁରୀ। ଏହା ଆମ ସ୍ବାସ୍ଥ୍ୟ ଓ ପୃଥିବୀ ଲାଗି ବହୁତ କ୍ଷତିକାରକ। ଏଣୁ ଗଛ ଲଗାନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବୁଧବାର ସୁଦର୍ଶନ ନିଜ ବାଲୁକା କଳା ମାଧ୍ୟମରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ଆହ୍ବାନ ଦେଇଛନ୍ତି।

ବର୍ଷ ବର୍ଷ ଧରି ପ୍ରକୃତି ଉପରେ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଜନବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡ଼କ, କୋଠାବାଡ଼ି ନିର୍ମାଣ ଦ୍ୱାରା ବେଧଡ଼କ ଭାବେ ଗଛକଟା ବୃଦ୍ଧି ପାଉଛି। ଫଳରେ ବାୟୁ ମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ପରିମାଣ ବଢ଼ି ଚାଲିଛି। ଏଣୁ ପରିବେଶ ସୁରକ୍ଷା ଦିଗରେ ପ୍ରଚେଷ୍ଟା କରିବା ଜରୁରୀ। ସୁସ୍ଥ ପରିବେଶ ଦ୍ୱାରା ଆମେ ସୁସ୍ଥ ରହିପାରିବା ବୋଲି ବୁଝିବାକୁ ପଡ଼ିବ।

Share