ବିଶ୍ୱ ପର୍ଯ୍ୟଟନ ଦିବସ: ପର୍ଯ୍ୟଟକଙ୍କୁ ଅତିଥିଭାବେ ସମ୍ମାନ ଦେବାକୁ କହିଲେ କୋରାପୁଟ ଜିଲାପାଳ

କୋରାପୁଟ,୨୭।୯(ସ୍ବ.ପ୍ର): ୩୯ ତମ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଶୁକ୍ରବାର କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଛାତ୍ରୀଛାତ୍ରଙ୍କ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରିଥିବା ଶୋଭାଯାତ୍ରାକୁ ଜିଲାପାଳ ମଧୁସୁଦନ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ପର୍ଯ୍ୟଟକ ହେଉଛନ୍ତି ଅତିଥି, ତେଣୁ ସେମାନଙ୍କୁ ଉଚିତ ସମ୍ମାନ ଦେବା। ଫଳରେ ସେମାନେ କୋରାପୁଟକୁ ଆସି ଫେରିବା ପରେ ନିଜ ଦେଶ ତଥା ରାଜ୍ୟରେ ଜିଲାବାସୀଙ୍କ ଆତିଥ୍ୟ, ପର୍ଯ୍ୟଟନ ସ୍ଥଳ ଓ ପ୍ରାକୃତିକ ପରିବେଶ ବିଷୟରେ ଅଧିକ ପ୍ରଚାରପ୍ରସାର କରିବେ ବୋଲି ଜିଲାପାଳ ମିଶ୍ର କହିଛନ୍ତି। ଶୋଭାଯାତ୍ରାରେ ସହରର କ୍ରୀଡା ଛାତ୍ରାବାସ ସମେତ ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ସାମିଲ ହୋଇ ଜିଲା ଐତିହ୍ୟ ଓ ପରମ୍ପରାକୁ ବିକାଶ, ପର୍ଯ୍ୟଟନସ୍ଥଳୀର ବିକାଶ, ପର୍ଯ୍ୟଟନ ସ୍ଥଳୀଗୁଡିକୁ ସ୍ବଚ୍ଛ ରଖିବା ସହ ପଲିଥିନ ଓ ପ୍ଲାଷ୍ଟକ ବର୍ଜନ ଆଦି ଉପରେ ସଚେତନତା ନେଇ ବିଭିନ୍ନ ପୋଷ୍ଟର, ବ୍ୟାନର ଏବଂ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ। ଏହି ଅବସରରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର ନାୟକ, ଉପଜିଲାପାଳ ଲଳିତ କୁମାର କହଁର, ଜିଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର କୁମାର ଲିମା, ଜିଲା କ୍ରୀଡା ଅଧିକାରୀ ରାଜକିଶୋର ଜେନା, ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଉସତ୍ାହିତ କରିଥିଲେ।