Categories: ଖେଳ

ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ :କ୍ୱାର୍ଟର ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି)-
ସୁଇଜରଲାଣ୍ଡର ବାସେଲଠାରେ ଚାଲିଥିବା ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବଲ୍ୟୁଏଫ) ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାର ସିଙ୍ଗଲ୍ସ ପ୍ରି-କ୍ୱାର୍ଟରରେ ପ୍ରମୋଦ ଚାଇନାର ଚେନ୍‌ ଚେନ୍‌ ଜିଆଓୟୁଙ୍କୁ ୨୧-୧୫, ୨୧-୧୨ ପଏଣ୍ଟରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସେ ଭାରତର ଅନ୍ୟତମ ଖେଳାଳି ବିକ୍ରମ କୁମାରଙ୍କୁ ଭେଟିବେ। ପ୍ରତିଦ୍ୱନ୍ଦ୍ୱୀ କେନିୟା ଖେଳାଳି ଓହରି ଯିବାରୁ ସିଙ୍ଗଲ୍ସର ପ୍ରଥମ ମ୍ୟାଚରେ ଓ୍ବାକଓଭର ପାଇ ପ୍ରମୋଦ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ଦ୍ୱିତୀୟ ମ୍ୟାଚରେ ସେ ଥାଇଲାଣ୍ଡର ମଙ୍କୁନ୍‌ ଭୁସୁନଙ୍କୁ ୨୬-୨୪, ୨୧-୧୭ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସିଙ୍ଗଲ୍ସ ପରି ଡବଲ୍ସରେ ମଧ୍ୟ ପ୍ରମୋଦ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମନୋଜ ସରକାରଙ୍କୁ ସାଥିକରି ଖେଳିଥିବା ପ୍ରମୋଦ ଇଂଲଣ୍ଡ-ସ୍କଟଲାଣ୍ଡ ଯୋଡ଼ି ଆନ୍ଥୋନୀ ଫରେଷ୍ଟର ଓ କଲିନ ଲେସ୍କିଙ୍କୁ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲରେ ଭାରତୀୟ ଯୋଡ଼ି ଜର୍ମାନୀର ନିକୋଲସ ପୋଟ୍‌ ଓ ପାସଲ ଓ୍ବଲଟରଙ୍କୁ ଭେଟିବେ। ପ୍ରକାଶ ଯୋଗ୍ୟ ଯେ, ଚଳିତବର୍ଷ ବ୍ୟାଡ୍‌ମିଣ୍ଟନ ଓ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌କୁ ଏକସଙ୍ଗେ ଗୋଟିଏ ସ୍ଥାନରେ ଆୟୋଜନ କରାଯାଇଛି। ଏଥିରେ ଭାରତ ପକ୍ଷରୁ ୨୨ ବ୍ୟାଡ୍‌ମିଣ୍ଟନ ଓ ୨୪ ପାରାବ୍ୟାଡ୍‌ମିଣ୍ଟନ ଖେଳାଳି ଭାଗ ନେଇଛନ୍ତି। ଓଡ଼ିଶାର ଏକମାତ୍ର ଖେଳାଳିଭାବେ ପ୍ରମୋଦ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ପ୍ରତି ୨ ବର୍ଷରେ ହେଉଥିବା ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୨୦୧୭ ସଂସ୍କରଣରେ ପ୍ରମୋଦ ସେମିଫାଇନାଲରେ ପରାଜିତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବେ। ଏଥର ଯଦି ପ୍ରମୋଦ ଚାମ୍ପିୟନ ହୁଅନ୍ତି ତେବେ ୨୦୨୦ ଅଲିମ୍ପିକ୍ସ ପାଇଁ ଦାବିଦାରି ଦୃଢ଼ ହୋଇଯିବ।

Share