Categories: ଖେଳ

ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୫।୮ (ସ୍ପୋଟର୍‌ସ ବ୍ୟୁରୋ)- ସୁଇଜରଲାଣ୍ଡସ୍ଥିତ ବାସେଲଠାରେ ଅନୁଷ୍ଠିତ ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ୍‌ଙ୍କ ବିଜୟ ଅଭିଯାନ ଜାରି ରହିଛି। ବ୍ୟାଡ୍‌ମିଣ୍ଟନର ଏହି ସର୍ବୋଚ୍ଚ ପ୍ରତିଯୋଗିତାରେ ପ୍ରମୋଦ ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ (ଏସ୍‌ଏଲ୍‌-୩) ସେମିଫାଇନାଲରେ ପ୍ରମୋଦ ୨୧-୧୮, ୨୧-୧୬ ସିଧାସଳଖ ଗେମ୍‌ରେ ନିଜ ଦେଶର ମନୋଜ ସରକାରଙ୍କୁ ପରାସ୍ତ କରିଛନ୍ତି। ଫାଇନାଲରେ ପ୍ରମୋଦଙ୍କ ମୁକାବିଲା ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କ ସହ ହେବ। ପୂର୍ବରୁ କ୍ୱାର୍ଟର ଫାଇନାଲରେ ପ୍ରମୋଦ ୨୧-୧୬, ୨୧-୧୨ ସିଧାସଳଖ ଗେମ୍‌ରେ ସାଥୀ ଖେଳାଳି ବିକ୍ରମ କୁମାରଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ପ୍ରମୋଦଙ୍କୁ ୨୮ ମିନିଟ୍‌ ସମୟ ଲାଗିଥିଲା। ଅପରପକ୍ଷରେ ପୁରୁଷ ଡବଲ୍ସ (ଏସ୍‌ଏଲ୍‌ ୩-୪)ରେ ପ୍ରମୋଦ ଓ ତାଙ୍କ ଯୋଡ଼ିଦାର ମନୋଜ ସରକାର ଫାଇନାଲରେ ପହଞ୍ଚତ୍ଛନ୍ତି। ସେମିଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ୨୧-୧୫, ୨୧-୧୫ରେ ଭାରତ-ଥାଇଲାଣ୍ଡ ଯୋଡ଼ି ବିକ୍ରମ କୁମାର ଓ ଚଓ୍ବରତ୍‌ କିଟିଚୋକ୍ୱାତାନାଙ୍କୁ ହରାଇଛନ୍ତି। ପ୍ରମୋଦ-ମନୋଜ ଯୋଡ଼ି ଫାଇନାଲରେ ଅନ୍ୟତମ ଭାରତୀୟ ଯୋଡ଼ି ନୀତେଶ-ତରୁଣଙ୍କୁ ଭେଟିବେ। ପୂର୍ବରୁ ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ୨୧-୧୫, ୨୧-୧୫ ସିଧାସଳଖ ଗେମ୍‌ରେ ଜର୍ମାନୀର ନିକୋଲାସ ପୋଟ୍‌ ଓ ପାସଲ ଓ୍ବଲଟରଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇଟି ବିଭାଗର ଫାଇନାଲରେ ପ୍ରବେଶ ସହ ପ୍ରମୋଦ ଏହି ସମ୍ମାନଜନକ ପ୍ରତିଯୋଗିତାରେ ୨ଟି ପଦକ ନିଶ୍ଚିତ କରିଛନ୍ତି।

Share