Categories: ଖେଳ

ବିଶ୍ୱ ଫୁଟଭଲି ଚାମ୍ପିୟନଶିପ୍‌: ରେଫରି ଦାୟିତ୍ୱ ତୁଲାଇବେ ଓଡ଼ିଶାର ସୁଜିତ

କଟକ ଅଫିସ,୧୪ା୯-
ଚଳିତମାସ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ହେବାକୁ ଥିବା ବିଶ୍ୱ ଫୁଟଭଲି ଚାମ୍ପିୟନଶିପରେ ଓଡ଼ିଶାର ସୁଜିତ କୁମାର ପାତ୍ର ମ୍ୟାଚ୍‌ ରେଫରି ଦାୟିତ୍ୱ ତୁଲାଇବେ। ଏକ ବିଶ୍ୱସ୍ତରୀୟ ଚାମ୍ପିୟନଶିପ୍‌ରେ ମ୍ୟାଚ୍‌ ପରିଚାଳନା କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସୁଜିତଙ୍କୁ ମିଳିଥିବା ବେଳେ ଏ ନେଇ ବିଭିନ୍ନ ବର୍ଗରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ସୁଜିତଙ୍କ ଘର ଗଞ୍ଜାମ ଜିଲାରେ । ସେ ଭାରତୀୟ ଫୁଟଭଲି ଦଳର କୋଚ୍‌ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ କୋଚ୍‌ ଥିବା ବେଳେ ଗତ ବିଶ୍ୱକପରେ ଭାରତୀୟ ଦଳ କ୍ବାର୍ଟର ଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଫୁଟବଲ ରେଫ୍‌ରି ଭାବେ ସେ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ରେ ମଧ୍ୟ କାର୍ଯ୍ୟ କରନ୍ତି । ରାଜ୍ୟ ଫୁଟଭଲି ସଂଘର ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ସୁଜିତ ଅଛନ୍ତି । ଶୁକ୍ରବାର କଲିକତା ଯାତ୍ରା କରଥିବା ସୁଜିତ ୧୫ ତାରିଖରେ ବ୍ୟାଙ୍କକ୍‌ ଯିିବେ। ରାଜ୍ୟ ଫୁଟଭଲି ସଂଘ ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ସମ୍ପାଦକ ପ୍ରସନ୍ନକୁମାର ରାଉତ, କୋଷାଧ୍ୟକ୍ଷ ଦେବାଶିଷ ନାୟକ, କାର୍ଯ୍ୟକାରୀ ସଭାପତି ଅଭିନ୍ନ ସୁନ୍ଦର ରାଉତ, ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ସୁଜିତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Share