Categories: ଖେଳ

ବିଶ୍ୱ ବ୍ୟାଡମିଣ୍ଟନ୍‌ ର଼୍ୟାଙ୍କିଙ୍ଗ୍‌: ନବମସ୍ଥାନକୁ ଉଠିଲେ ରାଙ୍କିରେଡ୍ଡୀ- ସେଟ୍ଟୀ

ନୂଆଦିଲ୍ଲୀ,୭।୮(ପି.ଟି.)- ସଦ୍ୟ ପ୍ରକାଶିତ ବିଶ୍ୱ ବ୍ୟାଡିମିଣ୍ଟନ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଉନ୍ନତି କରିଛନ୍ତି। ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ଏହି ଯୋଡି ୭ଟି ସ୍ଥାନ ଉପରକୁ ଶ୍ରେଷ୍ଠ-୧୦ରେ ପ୍ରବେଶ କରିଛନ୍ତି। ଥାଇଲାଣ୍ଡ ଓପନ୍‌ରେ ଐତିହାସିକ ବିଜୟ ହାସଲ କରିବା ପରେ ରାଙ୍କିରେଡ୍ଡୀ ଓ ଚିରାଗ ର଼୍ୟାଙ୍କିଙ୍ଗ୍‌ରେ ସପ୍ତମ ସ୍ଥାନରେ ରହିଛନ୍ତି।
ଗତ ରବିବାର ଏହି ଯୋଡି ପ୍ରଥମ ଭାରତୀୟ ଡବଲ୍ସ ଯୋଡି ଭାବେ ବିଡବ୍ଲ୍ୟୁଏଫ୍‌ ସୁପର ୫୦୦ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଏହି ଯୋଡି ଫାଇନାଲ ମ୍ୟାଚ୍‌ରେ ବିଶ୍ୱଚାମ୍ପିୟନ ଚାଇନାର ଲି ଜୁନ ହୁଇ ଓ ଲିୟୁ ୟୁ ଚେନଙ୍କୁ ୨୧-୧୯, ୧୮-୨୧, ୨୧-୧୮ରେ ପରାସ୍ତ କରି ବାଜି ମାରିଥିଲେ। ଅନ୍ୟତମ ଭାରତୀୟ ଡବଲ୍ସ ଯୋଡି ମନୁ ଅଟ୍ରି ଓ ବି. ସୁମିଥ ରେଡ୍ଡୀ ପୂର୍ବପରି ୨୫ତମ ସ୍ଥାନରେ ରହିଛନ୍ତି। ପୁରୁଷ ସିଙ୍ଗଲ୍ସରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତୀୟ ପୁରୁଷ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ୧୦, ସବୀର ବର୍ମା ୧୩, ବି. ସାଇ ପ୍ରଣୀତ ୧୯, ଏଚ୍‌ଏସ୍‌ ପ୍ରଣୟ ୩୧ ଓ ସୌରଭ ବର୍ମା ୪୪ତମ ସ୍ଥାନରେ ପୂର୍ବପରି ରହିଛନ୍ତି। ତେବେ ପାରୁପାଲ୍ଲୀ କାଶ୍ୟପ ୩ଟି ସ୍ଥାନ ଉପରକୁ ଉଠି ୩୨ତମ ଓ ଶୁଭଙ୍କର ଦୁଇଟି ସ୍ଥାନ ଉପରକୁ ଉଠି ୩୯ତମ ସ୍ଥାନରେ ରହିଛନ୍ତି।
ମହିଳା ସିଙ୍ଗଲ୍ସରେ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଓ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ନେହ୍ବାଲ ପୂର୍ବପରି ଯଥାକ୍ରମେ ପଞ୍ଚମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ମହିଳା ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ଅଶ୍ୱିନୀ ପୋନାପ୍ପା ଓ ଏନ୍‌. ସକ୍କି ରେଡ୍ଡୀ ଗୋଟିଏ ସ୍ଥାନ ଉପରକୁ ଉଠି ୨୩ତମ ସ୍ଥାନ ଅଧିକାର କରିଛନ୍ତି। ତେବେ ମିକ୍ସ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳିମାନେ ଅବନତୀ କରିଛନ୍ତି। ପ୍ରଣବ ଜେରୀ ଚୋପ୍ରା ଓ ସିକ୍କି ରେଡ୍ଡୀ ଗୋଟିଏ ସ୍ଥାନ ତଳକୁ ଖସି ୨୩ତମ ସ୍ଥାନରେ ରହିଛନ୍ତି। ସେହିପରି ପୋନାପ୍ପା ଓ ରାଙ୍କିରେଡ୍ଡୀ ୪ଟି ସ୍ଥାନ ତଳକୁ ଖସି ୨୭ତମ ସ୍ଥାନରେ ରହିଛନ୍ତି।

Share