Categories: ଖେଳ

ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ: କ୍ୱାର୍ଟରରେ ସିନ୍ଧୁ, ପ୍ରଣୀଥ

ବାସେଲ (ସୁଇଜରଲାଣ୍ଡ),୨୩।୮(ପିଟି): ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପ୍ରତିଯୋଗିତାରେ ଭାରତୀୟ ତାରକା ଶଟଲର ପି. ଭି. ସିନ୍ଧୁ ଓ ବି. ସାଇ ପ୍ରଣୀଥ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଏଚ୍‌.ଏସ୍‌. ପ୍ରଣୟ ଓ କିଡାମ୍ବି ଶ୍ରୀକାନ୍ତ ପରାଜୟ ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଶ୍ରୀକାନ୍ତ ୧୩-୨୧, ୧୪-୨୧ ଗେମ୍‌ରେ କାଣ୍ଟାଫୋନ ଓ୍ବାଙ୍ଗଚାଓରେନଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିଭଳି ପ୍ରଣୟଙ୍କୁ ନଂ୧ ର଼୍ୟାଙ୍କ ଜାପାନିଜ ଷ୍ଟାର କେଣ୍ଟୋ ମୋମୋଟା ୧୯-୨୧, ୧୩-୨୧ ବ୍ୟବଧାନରେ ପରାସ୍ତ କରିଛନ୍ତି। ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସ ମ୍ୟାଚ୍‌ରେ ପ୍ରଣୀଥ ବିଶ୍ୱର ୮ମ ର଼୍ୟାଙ୍କ ଆନ୍ଥୋନି ସିନିସୁକା ଗିଣ୍ଟିଂଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୯ତମ ସ୍ଥାନରେ ଥିବା ପ୍ରଣୀଥ ୨୧-୧୯, ୨୧-୧୩ ଗେମ୍‌ରେ ଇଣ୍ଡୋନେସିଆର ଆନ୍ଥୋନିଙ୍କୁ ହରାଇ ଦେଇଛନ୍ତି। ବିଜୟ ଲାଗି ତାଙ୍କୁ ୪୨ ମିନିଟ୍‌ ଲାଗିଥିଲା। ସେ ପରବର୍ତ୍ତୀ ରାଉଣ୍ଡରେ ସମ୍ଭବତଃ ଏସିଆନ୍‌ ଗେମ୍ସ ଚାମ୍ପିୟନ ତଥା ୪ର୍ଥ ସିଡ୍‌ ଜୋନାଥନ ଖ୍ରୀଷ୍ଟିଙ୍କୁ ଭେଟିପାରନ୍ତି। ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ଦୁଇଥର ରୌପ୍ୟ ପଦକ ବିଜେତା ସିନ୍ଧୁ ଏକତରଫା ମ୍ୟାଚ୍‌ରେ ଆମେରିକାର ବଓ୍ବୋନ ଝାଙ୍ଗଙ୍କୁ ହରାଇଛନ୍ତି। ୩୪ ମିନିଟ ଧରି ଚାଲିଥିବା ପ୍ରିକ୍ୱାର୍ଟର ଫାଇନାଲକୁ ହାଇଦ୍ରାବାଦୀ ଖେଳାଳି ୨୧-୧୪, ୨୧-୬ ଗେମରେ ହାତେଇଛନ୍ତି। ୫ମ ସିଡ୍‌ ଖେଳାଳି ଗତବର୍ଷ ଇଣ୍ଡିଆନ ଓପନ ଫାଇନାଲରେ ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରିଥିଲେ। ସିନ୍ଧୁ କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ସିଡ୍‌ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗଙ୍କ ସହ ମୁକାବିଲା କରିବେ।

Share