Categories: ଖେଳ

ବିଶ୍ୱ ଭିନ୍ନକ୍ଷମ ଟି୨୦ ସିରିଜ୍‌ ଚାମ୍ପିୟନ ଭାରତ

ମୁମ୍ବାଇ,୧୪।୮(ପିଟି): ବିଶ୍ୱ ଶାରୀରିକ ଭିନ୍ନକ୍ଷମ ଟି୨୦ ସିରିଜ୍‌ର ପ୍ରଥମ ସଂସ୍କରଣରେ ଫେଭରାଇଟ୍‌ ଭାରତୀୟ ଦଳ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଭାରତୀୟ ଦଳ ୩୬ ରନ୍‌ରେ ଆୟୋଜକ ଇଂଲଣ୍ଡକୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୮୦ ରନ୍‌ କରିଥିଲା। ଦଳ ପାଇଁ ଆର. ଜି. ସାଣ୍ଟେ ସର୍ବାଧିକ ୫୩ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୪ ଲେଖାଏ ଚୌକା ଓ ଛକା ସାମିଲ ଥିଲା। ତାଙ୍କ ବ୍ୟତୀତ କେ. ଡି. ଫାନସେ ୩୬, ଏସ. ମହେନ୍ଦ୍ରନ ୩୩ ଓ ବିକ୍ରାନ୍ତ କେନି ୨୯ ରନ୍‌ର ଉିଯୋଗୀ ଇନିଂସ ଖେଳିଥିଲେ। ଏହାପରେ ଭାରତୀୟ ବୋଲରମାନେ ଆୟୋଜକ ଦଳର ସ୍କୋରକୁ ୧୪୪/୯ ସୀମିତ ରଖିଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭିନ୍ନକ୍ଷମ ଦଳକୁ ସ୍ବୀକୃତି ଦେଇଛି। ମାତ୍ର ଏପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିନାହିଁ। ଚାମ୍ପିୟନ ଦଳକୁ ପୂର୍ବତନ ଭାରତୀୟ ଓପନର ଓ୍ବାସିମ ଜାଫର ଶୁଭେଚ୍ଛା ଜଣାଇଛନ୍ତି।
ସଂକ୍ଷିପ୍ତ ସ୍କୋର:
ଭାରତୀୟ ଭିନ୍ନକ୍ଷମ ଦଳ- ୨୦ ଓଭରରେ ୧୮୦/୭ (ଆର. ଜି. ସାଣ୍ଟେ ୫୩, କେ. ଡି. ଫାନସେ ୩୬, ଏଲ. ଏମ୍‌. ଓବ୍ରିଏନ ୩୫/୨)।
ଇଂଲଣ୍ଡ ଭିନ୍ନକ୍ଷମ ଦଳ- ୨୦ ଓଭରରେ ୧୪୪/୯ (ଏ.ଜି. ବ୍ରାଉନ ୪୪, ସି. ଫ୍ଲିନ ୨୮, କେ. ଡି. ଫାନ୍‌ସେ ୧୫/୨)।

Share