ବିଶ୍ୱ ମହାସାଗର ଦିବସ: ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି

ଓ୍ବାଶିଂଟନ,୮।୬: ବୃଦ୍ଧି ପାଉଥିବା ପ୍ରଦୂଷଣର ପ୍ରଭାବ ମହାସାଗର ଉପରେ ପଡ଼ିବାରେ ଲାଗିଛି। ଏଥିଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି। ଏନେଇ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୫୦ସୁଦ୍ଧା ମହାସାଗରରେ ମାଛ ତୁଳନାରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ପରିମାଣ ବୃଦ୍ଧି ପାଇଥିବ ବୋଲି ଏହି ରିପୋର୍ଟ କୁହାଯାଇଛି। ‘ମିଳିତ ଭାବେ ଆମେ ସମୁଦ୍ରକୁ ସୁରକ୍ଷିତ ରଖିପାରିବା’ ଏହା ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ଶୀର୍ଷକ ରଖାଯାଇଛି। ପ୍ରଦୂଷଣ ଯୋଗୁ ମହାସାଗରରେ ଅକ୍ସିଜେନ୍‌ ପରିମାଣ କମିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ସାମୁଦ୍ରିକ ପ୍ରଜାତି ଉପରେ ପଡ଼ିବାରେ ଲାଗିଛି। ୨୦୩୦ ସୁଦ୍ଧା ଏଠାରେ ଜମା ହେଉଥିବା ବର୍ଜ୍ୟ ପ୍ଳାଷ୍ଟିକ୍‌ ପରିମାଣ ୨ ଗୁଣା ହେବାର ଆଶଙ୍କା ରହିଛି। ୧୯୫୦ରୁ ୨୦୧୬ ମଧ୍ୟରେ ୬୬ ବର୍ଷରେ ସମୁଦ୍ରରେ ଯେଉଁ ପରିମାଣର ପ୍ଳାଷ୍ଟିକ୍‌ ଜମା ହୋଇଛି ତାହା କେବଳ ଆସନ୍ତା ୧୦ ବର୍ଷରେ ଜମା ହେବ। ଫଳରେ ଏଭଳି ବର୍ଜ୍ୟ ପଦାର୍ଥ ପରିମାଣ ୩୦ କୋଟି ଟନ୍‌ ଛୁଇଁବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ପ୍ରତିବର୍ଷ ସମୁଦ୍ରରେ ୧୦ କୋଟି ୪୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ପଦାର୍ଥ ଜମା ହେବାରେ ଲାଗିଛି। ସୂଚନାଯୋଗ୍ୟ, ସଚେତନତା ସୃଷ୍ଟି ପାଇଁ ୧୯୯୨ରେ ଜାତିସଂଘରେ ବିଶ୍ୱ ମହାସାଗର ଦିବସ ପାଳନ ପାଇଁ ପ୍ରସ୍ତାବ ଆସିଥିଲା। ସେହିବର୍ଷ ଜୁନ୍‌ ୮ଠାରୁ ଏହା ପାଳିତ ହୋଇ ଆସୁଛି।

Share