Categories: ଖେଳ

ବିଶ୍ୱ ମହିଳା ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌: ଦ୍ୱିତୀୟ ସ୍ଥାନରେ ହମ୍ପି

ମସ୍କୋ,୩୦।୧୨(ପି.ଟି.): ଏଠାରେ ଚାଲିଥିବା ମହିଳା ବିଶ୍ୱ ରାପିଡ୍‌ ଓ ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଗ୍ରାଣ୍ଡ ମାଷ୍ଟର କୋନେରୁ ହମ୍ପି ଦ୍ୱିତୀୟ ଟାଇଟଲ ଦୌଡ଼ରେ ରହିଛନ୍ତି। ପ୍ରଥମ ଦିବସରେ ସେ ଅନ୍ୟ ୩ ଖେଳାଳିଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୩୨ ବର୍ଷୀୟ ହମ୍ପି ଏହି ପ୍ରତିଯୋଗିତାରେ ଶନିବାର ରାପିଡ୍‌ ଟାଇଟଲ ଜିତିଥିଲେ। ଏହା ପରେ ସେ ଦୁଇ ଦିନିଆ ବ୍ଲିଜ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏକଦା ସେ ଏଥିରେ ୫ ରାଉଣ୍ଡ ଗେମ୍‌ ଜିତି ଅନ୍ୟ ଖେଳାଳିଙ୍କ ସହ ୧ ନମ୍ବର ସ୍ଥାନରେ ରହିଥିଲେ। ପରବର୍ତ୍ତୀ ଦୁଇଟି ଗେମ୍‌କୁ ଡ୍ର ରଖିବା ପରେ ସେ ଅଷ୍ଟମ ଗେମ୍‌ରେ ମୋନିକା ସାକୋଙ୍କୁ ପରାସ୍ତ କରିଥିଲେ। ତେବେ ସେ ପ୍ରଥମ ଦିନର ଅଗ୍ରଣୀ ରୁଷିଆର କାଟେରିନା ଲାଗ୍‌ନୋଙ୍କଠାରୁ ନାଟକୀୟ ଢ଼ଙ୍ଗରେ ଫାଇନାଲ ରାଉଣ୍ଡରେ ପରାସ୍ତ ହୋଇଥିଲେ।
୨୦୧୮ରେ କାଟେରିନା ୯ରୁ ସର୍ବାଧିକ ୮ ପଏଣ୍ଟ ହାସଲ କରି ଟାଇଟଲ ହାସଲ କରିଥିଲେ। କାଟେରିନା ଶ୍ରେଷ୍ଠ ସ୍ଥାନରେ ରହିଥିବା ବେଳେ ତାଙ୍କ ପଛକୁ ୪ ଖେଳାଳି ମିଳିତ ଭବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେମାନେ ହେଲେ ଆଲେକଜାଣ୍ଡ୍ରା କୋଷ୍ଟେନିଉକ, ହମ୍ପି କୋନେରୁ, ଡାରିଆ ଚାରୋଚକିନା ଓ ଆଲିନା କାଶଲିନସ୍କାୟା। ଏହି ୪ ଖେଳାଳି ୭ ଲେଖାଏ ପଏଣ୍ଟ ହାସଲ କରିଛନ୍ତି। ଶନିବାର ଚାଇନାର ଲେଇ ଟିଙ୍ଗ୍‌ଜିଏଙ୍କ ବିପକ୍ଷ ଗେମ୍‌ ଡ୍ର ରଖି ହମ୍ପି ବିଶ୍ୱ ମହିଳା ରାପିଡ ଚେସ୍‌ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିଲେ।

Share