ବିଶ୍ୱ ମେଟ୍ରୋରେ ଯାତ୍ରା କରୁଥିବା ବେଳେ ପାକିସ୍ତାନ ରିକ୍ସାରେ ଅଟକିଛି: ଆରିଫ

ଲଣ୍ଡନ,୧୦।୯: ପାକିସ୍ତାନ ଅଧିକୃତ କଶ୍ମୀରର ମାନବାଧିକାର କର୍ମୀ ଆରିଫ ଆଜକିଆ ପାକିସ୍ତାନକୁ କଟାକ୍ଷ କରି କହିଛନ୍ତି, ଏବେ ବିଶ୍ୱ ଯେତେବେଳେ ମେଟ୍ରୋରେ ଦୌଡୁଛି ସେତେବେଳେ ପାକିସ୍ତାନ ରିକ୍ସାରେ ଚାଲୁଛି। କାରଣ ଏହା ହେଉଛି ପାକିସ୍ତାନର ମାନଦଣ୍ଡ ବା ଷ୍ଟାଣ୍ଡାର୍ଡ। ନିକଟରେ ଚନ୍ଦ୍ରୟାନ-୨କୁ ନେଇ ଭାରତକୁ ପାକିସ୍ତାନ ମନ୍ତ୍ରୀ ଫୟାଦ ଚୌଧୁରୀ କଟାକ୍ଷ କରିଥିବା ବେଳେ ଏବେ ଏହାର ଉତ୍ତର ରଖିଛନ୍ତି ଆରିଫ। ସେ କହିଛନ୍ତି ନାସା କହୁଛି ଚନ୍ଦ୍ରୟାନ-୨ ଭାରତର ବଡ ସଫଳତା। ଆଉ ଯେଉଁମାନେ ଚେଷ୍ଟା କରନ୍ତି ସେମାନେ ବିଫଳ ହୁଅନ୍ତି। କିନ୍ତୁ ପାକିସ୍ତାନ କ’ଣ କରୁଛି। ନିଜର ଅର୍ଥ ବ୍ୟବସ୍ଥା ଏବେ ଆଇସିୟୁରେ ଥିବା ବେଳେ ଦେଶର ପ୍ରଗତି କଥା ଚିନ୍ତା ନ କରି ଅନ୍ୟକୁ କଟାକ୍ଷ କରିବା କେତେଦୂର ଠିକ୍‌ ବୋଲି ଆରିଫ କହିଛନ୍ତି। ଲଣ୍ଡନରେ ରହୁଥିବା ଆରିଫ ଏଥର ପାକିସ୍ତାନକୁ ବହୁ କଟୁ କଥା କହିଛନ୍ତି। ସେ ଫୟାଦ ଚୌଧୁରୀଙ୍କୁ କହିଛନ୍ତି, ପ୍ରଯୁକ୍ତି ବିଦ୍ୟାର ମନ୍ତ୍ରୀ ହୋଇ ଆଜିବି ଆପଣ ସେହି ରିକ୍ସାରେ ଅଟକିଛନ୍ତି। ଟିକେ ବାହାରକୁ ଆସନ୍ତୁ ଦେଶର ଭବିଷ୍ୟତ କଥା ଚିନ୍ତା କରନ୍ତୁ। ସେମିତି ପାକିସ୍ତାନରେ ହେଉଥିବା ବିସ୍ଫୋରଣକୁ ଦେଖି ଖେଳାଳିମାନେ ବି ସେଠାକୁ ଯିବାକୁ ମନା କଲେଣି। ଏସବୁ କଥା ଉପରେ ଟିକେ ପାକିସ୍ତାନ ଗୁରୁତ୍ୱ ଦେଉ।

Share