Categories: ଖେଳ

ବିଶ୍ୱ ଯୁବ ଚେସ୍‌ ଚାମ୍ପିୟନଶିପ୍‌: ଭାରତକୁ ୭ ପଦକ; ପ୍ରଜ୍ଞାନନ୍ଦଙ୍କୁ ସ୍ବର୍ଣ୍ଣ ପଦକ

ମୁମ୍ବାଇ,୧୩।୧୦(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱ ଯୁବ ଚେସ୍‌ ଚାମ୍ପିୟନଶିପ୍‌ରେ ଚେନ୍ନାଇର ୧୪ ବର୍ଷୀୟ ଗ୍ରାଣ୍ଡ ମାଷ୍ଟର ଆର. ପ୍ରଜ୍ଞାନନ୍ଦ ଦମ୍‌ଦାର ପ୍ରଦର୍ଶନ କରି ସଫଳତମ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଶନିବାର ସେ ୧୮ ବର୍ଷରୁ କମ୍‌ ଓପନ କାଟାଗୋରି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏକାଦଶ ତଥା ଅନ୍ତିମ ରାଉଣ୍ଡରେ ସେ ଜର୍ମାନୀର ଭାଲେଣ୍ଟିନ ବୁକେଲ୍ସଙ୍କ ବିପକ୍ଷରେ ମୁକାବିଲା ଡ୍ର ରଖିଥିଲେ। ମୋ ୯ ପଏଣ୍ଟ ପାଇ ସେ ତାଲିକାର ଶୀର୍ଷରେ ରହିଛନ୍ତି। ସେ ଏଥିପାଇଁ ନିଜ ଦେଶର ଅନ୍ତର୍ଜାତୀୟ ମାଷ୍ଟର ଅର୍ଜୁନ କଲ୍ୟାଣଙ୍କ ପ୍ରତି କୃତଜ୍ଞ ରହିବେ। କାରଣ ଅଜୁର୍ନ ଆର୍ମେନିଆର ଟପ୍‌ ସିଡ୍‌ ଖେଳାଳି ଶାଣ୍ଟ ସାର୍ଗସ୍ୟାନଙ୍କ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିଥିଲେ। ଯଦି ଶାଣ୍ଟ ବିଜୟୀ ହୋଇଥାନ୍ତେ ତା’ହେଲେ ପ୍ରଜ୍ଞାନନ୍ଦ ଚାପରେ ରହିଥାନ୍ତେ ଓ ସେ ଟାଇଟଲ ହାସଲ କରିପାରି ନ ଥାନ୍ତେ।
ଏହି ଚାମ୍ପିୟନଶିପ୍‌ରେ ଭାରତର ମୋଟାମୋଟି ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ହୋଇଛି। ପ୍ରଜ୍ଞାନନ୍ଦଙ୍କୁ ବାଦ୍‌ ଦେଲେ ଭାରତୀୟ ଖେଳାଳିମାନେ ଆଉ ୬ଟି ପଦକ ହାସଲ କରିଛନ୍ତି। ଏଥିରେ ୩ଟି ରୌପ୍ୟ ପଦକ ସାମିଲ ରହିଛି। କେବଳ ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇପାରି ନ ଥିଲା। ତେବେ ବି.ଏମ. ଅକ୍ଷୟ ଭଲ ପ୍ରଦର୍ଶନ କରିଥିଲେ। ଫାଇନାଲରେ ରାଉଣ୍ଡରେ ଅକ୍ଷୟା ଅନୋଉଶା ମାହଦିଆନଙ୍କଠାରୁ ହାରିଥିଲେ। କିନ୍ତୁ୧୪ ବର୍ଷରୁ କମ୍‌ ବିଭାଗରେ ଭାରତୀୟ ଖେଳାଳିମାନେ ଭଲ ଖେଳିଥିଲେ। ଦିବ୍ୟା ଦେଶମୁଖ ଓ ରକ୍ଷିତା ରବି ଦୁଇଟି ପଦକ ଜିତିଥିଲେ। ଟପ୍‌ସିଡ ମହିଳା ଅନ୍ତର୍ଜାତୀୟ ମାଷ୍ଟର ଦିବ୍ୟା ଶେଷ ରାଉଣ୍ଡରେ ବିଜୟୀ ହୋଇ ରୌପ୍ୟପଦକ ହାସଲ କରିଥିଲେ। ରକ୍ଷିତା ଓଭରନାଇଟ ଲିଡର ବାଟ- ଏରଡେନ ମୁନଗଞ୍ଜୁଲ ହରାଇ ବ୍ରୋଞ୍ଜ ଜିତିଥିଲେ। ପିଡେ ମାଷ୍ଟର ଏଲ.ଆର ଶ୍ରୀହରି (୧୪ ବର୍ଷରୁ କମ୍‌ ଓପନ) ଓ ବନ୍ତିକା ଅଗ୍ରଓ୍ବାଲ (୧୬ ବର୍ଷରୁ କମ ବାଳିକା) ଭାରତ ପାଇଁ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି। ଏସ୍‌. ମାରାଲାକ୍ଷିକାରୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିପରି ସିଏମ୍‌ ଆରୋନ୍ୟାକ ଘୋଷ ୧୬ ବର୍ଷରୁ ଓପନ୍‌ରେ ବ୍ରୋଞ୍ଜ୍‌ ଜିତିଛନ୍ତି।

Share