ବିଶ୍ୱ ରେକର୍ଡଠାରୁ ୩୭ ରନ୍‌ ଦୂରରେ କୋହଲି

ମାଞ୍ଚେଷ୍ଟର,୨୬।୬- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ଏକ ବିଶ୍ୱରେକର୍ଡର ଅଧିକାରୀ ହେବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ସେ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍‌ ପୂରଣ କରିପାରନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବା ଲାଗି ତାଙ୍କୁ ଆଉ ୩୭ ରନ୍‌ ଦରକାର। କୋହଲି ଏବେ ପର୍ଯ୍ୟନ୍ତ ସମସ୍ତ ଫର୍ମାଟରେ ମୋଟ ୧୯,୯୬୩ ରନ୍‌ କରିସାରିଛନ୍ତି। ଆଉ ୩୭ ରନ୍‌ କଲେ ସଚିନ ତେନ୍ଦୁଲକର (୩୪,୩୫୭) ଓ ରାହୁଲ ଡ୍ରାଭିଡ (୨୪,୨୦୮)ଙ୍କ ପରେ ତୃତୀୟ ଭାରତୀୟ ଭାବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍‌ ପୂରଣ କରିବେ। ସଚିନ ଓ ବ୍ରାଏନ ଲାରା ୪୫୩ଟି ଇନିଂସ୍‌ରେ ୨୦ ହଜାର ରନ୍‌ ପୂରଣ କରିଥିଲେ। ଅନ୍ୟପକ୍ଷରେ କୋହଲି ଏପର୍ଯ୍ୟନ୍ତ ୧୩୧ ଟେଷ୍ଟ, ୨୨୩ ଦିନିଆ ଓ ୬୨ ଟି୨୦ ମ୍ୟାଚ୍‌କୁ ମିଶାଇ ମୋଟ ୪୧୬ଟି ଇନିଂସ୍‌ ଖେଳିଛନ୍ତି। କୋହଲି ଚଳିତ ବିଶ୍ୱକପ୍‌ରେ ଭଲ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୮୨, ପାକିସ୍ତାନ ବିପକ୍ଷରେ ୭୭ ଓ ଆଫଗାନିସ୍ତାନ ବିପକ୍ଷରେ ୬୭ ରନ୍‌ର ଇନିଂସ ଖେଳିଛନ୍ତି। ଏଣୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଦର୍ଶକଙ୍କ ନଜର ତାଙ୍କ ଉପରେ ରହିବ।

Share