Categories: ଖେଳ

ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ରବୀନ୍ଦରଙ୍କୁ ରୌପ୍ୟ

ବୁଦାପେଷ୍ଟ, ୩୧।୧୦ (ପି.ଟି.)- ଭାରତୀୟ କୁସ୍ତିଯୋଦ୍ଧା ରବୀନ୍ଦର ଏଠାରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ୬୩ କିଗ୍ରା ବିଭାଗ ଫାଇନାଲରେ ରବୀନ୍ଦର ୩-୫ରେ ଏସିଆନ ଚାମ୍ପିୟନ କିର୍ଗିଜସ୍ତାନର ଉଲୁକବେକ ଝୋଲଡୋଶବେକୋଭଙ୍କ ନିକଟରୁ ହାରିଯାଇଛନ୍ତି। ୨୨ ବର୍ଷୀୟ ରବୀନ୍ଦର ଏଥିପୂର୍ବରୁ ୨୦୧୬ ସାଉଥ୍‌ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଏବଂ ୨୦୧୪ କ୍ୟାଡେଟ୍‌ ଏସିଆନ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ର ଚଳିତ ସଂସ୍କରଣରେ ଭାରତର ଏହା ପ୍ରଥମ ପଦକ ଥିଲା। ବିଶ୍ୱ ରେସଲିଂ ପ୍ରତିଯୋଗିତାରେ କିନ୍ତୁ ଭାରତର ଏହା ମୋଟ୍‌ ଉପରେ ୫ମ ରୌପ୍ୟ ପଦକ। ପୂର୍ବରୁ ବଜରଙ୍ଗ ପୁନିଆ (୬୫ କିଗ୍ରା), ବିନୋଦ କୁମାର (୭୦ କିଗ୍ରା) ଓ ରିତୁ ଫୋଗତ୍‌ (୪୮ କିଗ୍ରା) ଏହି ସମ୍ମାନଜନକ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ରୌପ୍ୟ ପଦକ ହାସଲ କରିଥିଲେ। ଗତ ବର୍ଷ ରବି ଦାହିୟା (୫୭ କିଗ୍ରା) ଏକମାତ୍ର ଭାରତୀୟ ରେସଲର୍‌ ଭାବେ ପଦକ (ରୌପ୍ୟ) ଜିତିଥିଲେ।

Share