ବିଶ୍ୱ ସ୍କାଉଟ ଦିବସ: ଚିନ୍ତା ଓ ପ୍ରତିଜ୍ଞାର ସମୟ

ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହି ଦିନ ବ୍ରିଟେନର ଲ୍ୟୁଟନାଣ୍ଟ ଜେନେରାଲ ବଡେନ୍‌ ପାଓ୍ବେଲ ଜନ୍ମଗ୍ରହଣ କରିଥିଲେ। ଜଣେ ସେନା ଅଧିକାରୀ, ଲେଖକ ଓ ସମାଜ ସଂସ୍କାରକ ଭାବେ ସେ ବେଶ୍‌ ଜଣାଶୁଣା। ବିଶ୍ୱର ସେ ପ୍ରଥମ ଚିଫ୍‌ ସ୍କାଉଟ ହୋଇଥିବାରୁ ତାଙ୍କ ଜନ୍ମଦିନ(୧୮୫୭) କୁ ବିଶ୍ୱ ସ୍କାଉଟ ଦିବସ ଭାବେ ପାଳନ କରାଯାଇ ଆସୁଛି। ତାଙ୍କ ସ୍ତ୍ରୀ ଓଲେଭ୍‌ ବଡେନ୍‌ ପାଓ୍ବେଲ ସ୍କାଉଟିଂ ଓ ଗଲର୍‌ସ ଗାଇଡ୍‌ର ପ୍ରତିଷ୍ଠାତା ଥିଲେ। ଦୁହିଁଙ୍କ ପ୍ରେରଣା କେବଳ କେନିଆ ନୁହେଁ ସାରା ବିଶ୍ୱକୁ ବାଟ ଦେଖାଇଥିଲା। ବିଭିନ୍ନ ସ୍କାଉଟ ସଂଘ ପକ୍ଷରୁ ଏହି ଦିବସକୁ ପ୍ରତିଜ୍ଞା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଗଲର୍‌ସ ଗାଇଡ ଓ ଗଲର୍‌ସ ସ୍କାଉଟ ପକ୍ଷରୁ ଏହି ଦିବସକୁ ବିଶ୍ୱ ଚିନ୍ତନ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିବସ ସମସ୍ତ ସ୍କାଉଟ ଓ ଗଲର୍‌ସ ଗାଇଡ୍‌ମାନେ ନିଜକୁ ଶୃଙ୍ଖଳିତ କରିବା ଓ ଆନ୍ଦୋଳନର ଆଦର୍ଶକୁ ବଜାୟ ରଖିବା ଲାଗି ପ୍ରତିଜ୍ଞା କରିଥାନ୍ତି। ସମୟକ୍ରମେ ବିଭିନ୍ନ ଦେଶରେ ସ୍କାଉଟ ଓ ଗାଇଡ୍‌ର ନିୟମାବଳୀ ବଦଳି ଥିଲେ ହେଁ ଜଣେ କିପରି ଶୃଙ୍ଖଳାର ସହ ଆଦର୍ଶ ଜୀବନ ବିତାଇ ପାରିବ ଓ ସମାଜ ଲାଗି ଉଦାହରଣ ସୃଷ୍ଟି କରିପାରିବ, ସେନେଇ ଚିନ୍ତା କରିବା ସହ ପ୍ରତିଜ୍ଞା ନେଇଥାନ୍ତି।

Share