ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନରେ ୧୧୬ ଦେଶ କରୋନା ପ୍ରସଙ୍ଗ ଉଠାଇବା ସମ୍ଭାବନା: ଡବ୍ଲ୍ୟୁଏଚ୍‌ଓର ବଢ଼ିଲା ଚିନ୍ତା

ଜେନେଭା,୧୮ା୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ୭୩ତମ ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନ ସ୍ବିଜରଲାଣ୍ଡ୍‌ର ଜେନେଭାଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ୧୧୬ ଦେଶ କରୋନା ପ୍ରସଙ୍ଗ ଉଠାଇବାର ସମ୍ଭାବନା ଥିବା କୁହାଯାଉଛି। ଏହାକୁ ନେଇ ଡବ୍ଲ୍ୟୁଏଚ୍‌ଓର ଚିନ୍ତା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୬୨ଟି ଦେଶ ପକ୍ଷରୁ ଏକ ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଏହି ଦେଶମାନଙ୍କ ମଧ୍ୟରେ ଭାରତ ସାମିଲ୍‌ ହୋଇଛି। କରୋନା ସଂକ୍ରମଣ ନେଇ ଡବ୍ଲ୍ୟୁଏଚ୍‌ଓର ପ୍ରତିକ୍ରିୟା ଏବଂ ସକ୍ରିୟତା କେତେ ଦୂର ସ୍ବତନ୍ତ୍ର ତାହାର ନିରପେକ୍ଷ ଯାଞ୍ଚ୍‌ ଉପରେ ଏହି ଅଧିବେଶନରେ ପ୍ରସ୍ତାବ ଅଣାଯିବାର ସମ୍ଭାବନା ରହିଛି। କରୋନା ସଂକ୍ରମଣ ରୋକିବାରେ ଡବ୍ଲ୍ୟୁଏଚ୍‌ଓର ଭୂମିକା ଉପରେ ଆମେରିକା ପ୍ରଶ୍ନ କରିଥିଲା। ଏହାପରେ ଅଷ୍ଟ୍ରେଲିଆ ଏବଂ ୟୁରୋପିଆନ୍‌ ରାଷ୍ଟ୍ର ସମୂହର କେତେକ ଦେଶ ମଧ୍ୟ ଆମେରିକାର ପ୍ରଶ୍ନକୁ ସମର୍ଥନ କରିଥିଲେ। କରୋନା ପ୍ରସଙ୍ଗକୁ ଉଠାଇବାକୁ ଚାହୁଁଥିବା ୧୧୬ ଦେଶ ମଧ୍ୟରେ ୟୁରୋପର ୨୭ଟି ଦେଶ ରହିଛି। ସେହିପରି ବ୍ରାଜିଲ୍‌, ଦକ୍ଷିଣ କୋରିଆ, ମେକ୍ସିକୋ, ତୁର୍କୀ, ନ୍ୟୁଜିଲାଣ୍ଡ୍‌, ଅଷ୍ଟ୍ରେଲିଆ, କେତେକ ଆଫ୍ରିକୀୟ ରାଷ୍ଟ୍ର, ଭାରତ, କାନାଡ଼ା, ରୁଷ୍‌, ଇଣ୍ଡୋନେସିଆ, ଜାପାନ, ବ୍ରିଟେନ୍‌ ଆଦି ଦେଶ ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି। ଡବ୍ଲ୍ୟୁଏଚ୍‌ଓ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ଉପଯୁକ୍ତ କାର୍ଯ୍ୟ କରି ନ ଥିବା ୬୨ଟି ଦେଶ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ପ୍ରସ୍ତାବରେ ସୂଚିତ ହୋଇଛି। କରୋନା ସଂକ୍ରମଣର ତଥ୍ୟ ଲୁଚାଇବାରେ ଡବ୍ଲ୍ୟୁଏଚ୍‌ଓ ଚାଇନା ସହିତ ହାତ ମିଳାଇଥିବା ଏଥିରେ ଦର୍ଶାଯାଇଛି।

Share