Categories: ଖେଳ

ବିଶ୍ୱ ହକି ର଼୍ୟାଙ୍କିଙ୍ଗ୍‌: ସର୍ବକାଳୀନ ଶ୍ରେଷ୍ଠ ସ୍ଥାନରେ ଭାରତ

ଲାଉସାନେ, ୩।୩(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ର଼୍ୟାଙ୍କିଙ୍ଗ୍‌ରେ ଭାରତ ଚତୁର୍ଥ ସ୍ଥାନ ହାସଲ କରି ସର୍ବକାଳୀନ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ୨୦୦୩ରେ ଏଫ୍‌ଆଇଏଚ୍‌ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଲାଗୁ ହେବାଠାରୁ ଭାରତ ପାଇଁ ଏହା ଶ୍ରେଷ୍ଠ ସ୍ଥାନ ବିବେଚିତ ହୋଇଛି। ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଦମ୍‌ଦାର ପ୍ରଦର୍ଶନ କରି ଭାରତ ପଞ୍ଚମରୁ ଉଠି ଅଲିମ୍ପିକ୍‌ ଚାମ୍ପିୟନ ଆର୍ଜେଣ୍ଟିନାକୁ ହଟାଇ ଚତୁର୍ଥ ସ୍ଥାନ ଅଧିକାର କରିଛି। ଗୋଟିଏ ସ୍ଥାନ ତଳକୁ ଖସି ଆର୍ଜେଣ୍ଟିନା ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ ବିଶ୍ୱ ଚାମ୍ପିୟନ ବେଲଜିୟମ ଶୀର୍ଷ ସ୍ଥାନ ବଜାୟ ରଖିଛି। ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନେଦରଲାଣ୍ଡ୍ସ ତୃତୀୟ ସ୍ଥାନରେ ଅପରବର୍ତ୍ତିତ ରହିଛି। ସେହିପରି ଜର୍ମାନୀ ଓ ଇଂଲଣ୍ଡ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନ ବଜାୟ ରଖିଛନ୍ତି। ଏହି ଦୁଇ ଦଳ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଗତ ୩ଟି ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ପୂର୍ବପରି ଅଷ୍ଟମ ସ୍ଥାନରେ ରହିଛି। ଗତମାସ ସ୍ପେନ ତଳକୁ ରହି ନ୍ୟୁଜିଲାଣ୍ଡ ନବମ ସ୍ଥାନରେ ରହିଥିଲା।
ମହିଳାରେ ଭାରତକୁ ନବମ ସ୍ଥାନ
ମହିଳା ର଼୍ୟାଙ୍କିଙ୍ଗ୍‌ରେ ଭାରତ ନବମ ସ୍ଥାନ ଅଧିକାର କରିଛି। ନେଦରଲାଣ୍ଡ୍ସ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଜର୍ମାନୀ ଓ ଇଂଲଣ୍ଡ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଉଲ୍ଲେଖଥାଉ କି, ଗତ ଜାନୁୟାରୀ ୧ ତାରିଖରେ ର଼୍ୟାଙ୍କିଙ୍ଗ୍‌ର ନୂଆ ମଡେଲ ଲାଗୁ ହୋଇଥିଲା। ପୂର୍ବରୁ ଟୁର୍ନାମେଣ୍ଟ ଉପରେ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀ ପର୍ଯ୍ୟବସିତ ଥିଲା। ନୂଆ ନିୟମ ଅନୁସାରେ ମ୍ୟାଚ୍‌ ଉପରେ ଏହି ର଼୍ୟାଙ୍କିଙ୍ଗ୍‌ ପ୍ରାଣାଳୀ ନିର୍ଦ୍ଧାରିତ ହେଉଛି। ମ୍ୟାଚର ଫଳାଫଳ ଉପରେ କେତେ ପଏଣ୍ଟ ମିଳିବ ତାହା ସ୍ଥିର କରାଯାଉଛି। ମ୍ୟାଚ୍‌ର ଓ ଦଳଗୁଡିକର ଆପେକ୍ଷିକ ର଼୍ୟାଙ୍କିଙ୍ଗ୍‌କୁ ଗୁରୁତ୍ୱ ଦିଆଯିବା ପରେ ତାଲିକା ପ୍ରକାଶିତ ହେଉଛି।

Share